fbpx

ଏଣିକି ଷ୍ଟାର ପ୍ରଚାରକଙ୍କ ଉପରକୁ ଆକ୍ରମଣ ହେଲେ ସେଥିପାଇଁ ଦାୟୀ ରହିବେ ରାଜ୍ୟ ସରକାର: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ନେଇ ପ୍ରଚାର ଜୋରଦାର ଚାଲିଛି । ତେବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକଙ୍କ ଉପରେ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ନିକଟରେ ଉତ୍ତରପ୍ରଦେଶର ମିରଟଠାରେ ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓୱେସୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ନିର୍ବାଚନ କମିଶନ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ଷ୍ଟାର ପ୍ରଚାରକଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିବେ । ଏଥିସହ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ କମିଶନ କହିଛନ୍ତି ।

ଗତ ଶନିବାର ଦିନ ବିଜେପିର ଷ୍ଟାର ପ୍ରଚାରକ ବବିତା ଫୋଗାଟଙ୍କ ଉପରେ ମିରଟଠାରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଭାଜପା ପ୍ରାର୍ଥୀ ମନିନ୍ଦର ପାଲଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଳେ ବବିତାଙ୍କ ଉପରେ କିଛି ଲୋକ ଲାଠିମାଡ଼ କରିଥିଲେ । ଏହାପୂର୍ବରୁ ଗତ ୩ ତାରିଖରେ ଓୱେସୀଙ୍କ ଗାଡ଼ି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ମିରଟରୁ ଫେରୁଥିବା ସମୟରେ ଫାୟାରିଂ କରାଯାଇଥିଲା ବୋଲି ଓୱେସୀ କହିଥିଲେ । ଏହି ଆକ୍ରମଣ ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା । ଷ୍ଟାର ପ୍ରଚାରକଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଥିବାରୁ ନିର୍ବାଚନ କମିଶନ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.