ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ଅଧିକାଂଶ ବ୍ୟକ୍ତି ଟାଟୁ କରୁଛନ୍ତି । ବିଶେଷ କରି ଯୁବ ପିଢ଼ି ନିଜକୁ ଆହୁରି ଆକର୍ଷିତ କରିବା ପାଇଁ ଶରୀରର ବିଭିନ୍ନ ଅଙ୍ଗରେ ସୁନ୍ଦର ସୁନ୍ଦର ଟାଟୁ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯଦ୍ୱାରା ମୁଣ୍ଡରେ ବି ଟାଟୁ କରିହେବ । ଏହା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକଳାପକୁ ଟାଟୁ ଦ୍ୱାରା ଦର୍ଶାଯାଇଥାଏ । ଏହାକୁ ‘ଇଲେକ୍ଟ୍ରୋନିକ୍ ଟାଟୁ’ କୁହାଯାଏ । ଏହି ଟାଟୁ ଇଲେକ୍ଟ୍ରୋଇନସେଫ୍ଲୋଗ୍ରାମ୍(EEG) ଭଳି କାର୍ଯ୍ୟ କରିଥାଏ । ସାଧାରଣତଃ ଟାଟୁ ସ୍ଥାୟୀ ହୋଇଥିବା ବେଳେ ‘ଇଲେକ୍ଟ୍ରୋନିକ୍ ଟାଟୁ’ ଅସ୍ଥାୟୀ ହୋଇଥାଏ ।
EEG ମାଧ୍ୟମରେ ମସ୍ତିଷ୍କକୁ ସହଜରେ ସ୍କାନ୍ କରାଯାଇପାରିବ । ଏହା ସିଜର୍ସ, ଏପିଲେପସି, ବ୍ରେନ୍ ଟ୍ୟୁମର ଭଳି ନ୍ୟୁରୋଲୋଜିକାଲ କଣ୍ଡିସନର ଯାଞ୍ଚ କରିବାରେ ସହାୟକ ହୋଇଥାଏ । EEG ପରୀକ୍ଷା ସମୟରେ ସ୍କେଲ୍ ଏବଂ ପେନସିଲ ମାଧ୍ୟମରେ ବ୍ୟକ୍ତିର ମସ୍ତିଷ୍କରେ ମାର୍କିଂ କରାଯାଇଥାଏ । ଏହା ପରେ ମାର୍କିଂ ଉପରେ ଇଲେକ୍ଟ୍ରୋଡ୍ସ ଚିପକାଯାଏ । ଏହା ପରେ ଇଲେକ୍ଟ୍ରୋଡ୍ସକୁ ତାର ସହ ସଂଯୋଗ କରାଯାଇଥାଏ ଯାହା EEG ମେସନ୍ ସହ ଜୋଡ଼ି ହୋଇଥାଏ । ଏହା ପରେ ମସ୍ତିଷ୍କର କାର୍ଯ୍ୟକଳାପ ରେକର୍ଡ଼ କରାଯାଏ । ନଚେତ୍ ବ୍ୟକ୍ତିକୁ ଇଲେକ୍ଟ୍ରୋଡ୍ସର ଏକ ଟୋପି ପିନ୍ଧାଯାଏ । ଏହା ଦୀର୍ଘ ଏବଂ ଅସଜ ପ୍ରକ୍ରିୟା ଅଟେ । ସେଥିପାଇଁ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଜଣେ ଇଂଜିନିୟରିଂ ପ୍ରଫେସର ନାଂଶୁ ଲୁ ଏକ ନୂତନ ଟେକ୍ନୋଲୋଜି ବିକଶିତ କରିଛନ୍ତି ।
ଆସନ୍ତୁ ଜାଣିବା କିପରି କାମ କରିଥାଏ ‘ଇଲେକ୍ଟ୍ରୋନିକ୍ ଟାଟୁ’
ଏହି ଟେକ୍ନୋଲୋଜି ଅନ୍ତର୍ଗତ ଜଣେ ରୋବଟ୍ ବ୍ୟକ୍ତିର ମୁଣ୍ଡରେ ଟାଟୁ କରିଥାଏ । ଏହି ଟାଟୁ କଣ୍ଡକ୍ଟିଭ୍ ପଦାର୍ଥ ଅର୍ଥାତ ଇଲେକ୍ଟ୍ରୋନିକ ତରଙ୍ଗକୁ ଆକର୍ଷିତ କରୁଥିବା ପଦାର୍ଥ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହା ପରେ ତାର ସହ ସଂଯୋଗ କରାଯାଇଥାଏ । ଏହା ମାଧ୍ୟମରେ EEG ବ୍ୟକ୍ତିର ମସ୍ତିଷ୍କ ଅଧ୍ୟୟନ କରିଥାଏ । ଏହି ପ୍ରକ୍ରିୟା ମାତ୍ର ୨୦ ମିିନିଟ୍ ଅବଧିର ଅଟେ । କିଛି ସମୟ ପରେ ଏହି ଟାଟୁ ସୁଖିଯାଏ । ଏହି ଟାଟୁ ପ୍ରାୟ ୩୦୦ ମିଲିମିଟର ମୋଟା ହେବ । ଏହା ସାଧାରଣ ଇଲେକ୍ଟ୍ରୋଡ୍ସ ଭଳି କାମ କରିଥାଏ । ଚଳିତ ବର୍ଷ ଡିସେମ୍ବର ୨ ତାରିଖରେ ବାୟୋମେଟେରିଆଲ୍ସ ଜର୍ନାଲରେ ଏନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହି ରିପୋର୍ଟରେ ଦର୍ଶାଯାଇଥିଲା କି ୫ ଜଣ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା । ମସ୍ତିଷ୍କ ସ୍କାନିଂ ପରେ ଏହାକୁ ପୋଛି କିମ୍ବା ଶାମ୍ପୁ ଦ୍ୱାରା ହଟାଯାଇଥିଲ ।