ନୂଆଦିଲ୍ଲୀ : ଗୋଟିଏରୁ ଅଧିକ ଭୋଟର ପରିଚୟ ପତ୍ର ରଖୁଥିବା ଲୋକଙ୍କ ପାଇଁ ଦୁଃଖବର । ସରକର ଏବେ ଏମିତି ଲୋକଙ୍କ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି । କ୍ୟାବିନେଟ୍ ଭୋଟ୍ ପରିଚୟ ପତ୍ରକୁ ଆଧାର ସହ ଲିଙ୍କ୍ କରିବା ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ୍ ମଞ୍ଜୁରୀ ପରେ ବିଧେୟକକୁ ଲୋକସଭା ଏବଂ ରାଜ୍ୟସଭାରେ ଆଗତ କରାଯିବ । ଉଭୟ ଗୃହରେ ବିଲ୍ ପାରିତ ହେଲେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହେବ । ଏହା ପରେ ନିର୍ବାଚନ ଆୟୋଗ ଏବଂ ଅନ୍ୟ ପ୍ରଶାସନ ପାଇଁ ଆଧାର ଓ ଭୋଟର ଆଇକାର୍ଡ ସଂଯୋଗ ପଥ ପରିଷ୍କାର ହେବ ।
ଏହା ପୂର୍ବରୁ ନିର୍ବାଚନ ଆୟୋଗ ୨୦୧୫ରେ ଭୋଟର ପରିଚୟ ପତ୍ରକୁ ଆଧାର ସହ ସଂଯୋଗ କରିବାର ଉଦ୍ୟମ କରି ସାରିଛି । ଗୋପନୀୟତାକୁ ନେଇ ଆଧାର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ନିର୍ବାଚନ ଆୟୋଗ ସେହି ସମୟରେ ଏହି ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଥିଲା । ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ସୁପାରିଶ ପରେ ଏହାକୁ ଆଇନରେ ପରିଣତ ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।
ଏମିତି ହେଲେ ନକଲି ଭୋଟ୍ ପରିଚୟ ପତ୍ର ସମସ୍ୟା ନିୟନ୍ତ୍ରଣ ହୋଇ ପାରିବ । ଥରେ ଭୋଟ୍ ପରିଚୟ ପତ୍ର ଲିଙ୍କ ହେଲେ ଗୋଟିଏରୁ ଅଧିକ ପରିଚୟ ପତ୍ର ଆଉ ତିଆରି କରାଯାଇ ପାରିବ ନାହିଁ କି ଏକାଧିକ ସ୍ଥାନରେ ଭୋଟ୍ ଦେଇ ହେବ ନାହିଁ । କୁହାଯାଉଛି, ବର୍ତ୍ତମାନ ଭୋଟ୍ ପରିଚୟ ପତ୍ର ଏବଂ ଆଧାର ସଂଯୋଗ ସ୍ୱେଚ୍ଛାକୃତ ରହିବ । କାରଣ ସରକାର ବର୍ତ୍ତମାନ ଆଧାର-ଭୋଟିଂ ଆଇଡି କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବା ମୋଡରେ ନାହାନ୍ତି ।