fbpx

ଏଣିକି NEET, JEE Main, CUET ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ NTA: ସୂଚନା ଦେଲା UGC

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା । ତେଣୁ ତାହାର ସମାଧାନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନୂଆ ପଦକ୍ଷେପ ନେବାକୁ ଯାଉଛି । ଏଣିକି ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ ଏନଟିଏ । ଏହି ଶିଡ୍ୟୁଲରେ ନିଟ, ଜେଇଇ ମେନ, ସିୟୁଇଟି ସମେତ ଅନ୍ୟ ବଡ଼ ବଡ଼ ପ୍ରବେଶିକା ପରୀକ୍ଷାକୁ ନୂଆ ଢଙ୍ଗରେ ସେଟ୍ କରାଯିବ ।

ଏକାଧିକ ପରୀକ୍ଷା ଯେପରି ଗୋଟିଏ ତାରିଖରେ ନପଡ଼େ, ସେଥିପ୍ରତି ଧ୍ୟାନ ଦିଆଯିବ । ଅନେକ ସମୟରେ ଗୋଟିଏ ଦିନରେ ଦୁଇଟି ଲେଖାଏଁ ପରୀକ୍ଷା ରହିବା କାରଣରୁ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସାମ୍ନା କରିଥାନ୍ତି । ତେବେ ପୂର୍ବରୁ ବାର୍ଷିକ ଶିଡ୍ୟୁଲ ମିଳିଯିବା ଦ୍ୱାରା ଛାତ୍ରଛାତ୍ରୀମାନେ ସହଜରେ ପ୍ରସ୍ତୁତି କରିପାରିବେ ବୋଲି ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦୀଶ କୁମାର ସୂଚନା ଦେଇଛନ୍ତି ।

ଭବିଷ୍ୟତରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ଅବାଧ ଓ ନିରପେକ୍ଷ କରିବାକୁ ଏନଟିଏ ଏକ କମିଟି ଗଠନ କରିଛି । ଏହି କମିଟି ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି, ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ, ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ ଓ ଅନ୍ୟ ପ୍ରବେଶିକା ପରୀକ୍ଷାର ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ । କୌଣସି ପ୍ରବେଶିକା ପରୀକ୍ଷା ଯେପରି ଅନ୍ୟ ପ୍ରବେଶିକା ପରୀକ୍ଷା ସହିତ ମାଡ଼ ନହୁଏ, ସେଥିପାଇଁ ଏହି କମିଟି ସୁନିଶ୍ଚିତ କରିବ । ଏଥିସହିତ ପରୀକ୍ଷା ସେଣ୍ଟରର ଭିତ୍ତିଭୂମି ସହିତ ଟେକ୍ନିକାଲ ସମସ୍ୟା ଉପରେ ଅନ୍ୟ ଏକ ଟିମ୍ ନଜର ରଖିବ । ଏହି କମିଟିରେ ଆଇଆଇଟି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ୍ସପର୍ଟ ଓ ଗେଟ ପରି ପରୀକ୍ଷା କ୍ଷେତ୍ରରେ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ସାମିଲ କରାଯିବ ।

Get real time updates directly on you device, subscribe now.