fbpx

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗିହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) :ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ପାଳିତ ହୋଇଥାଏ । ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୁଏ ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି। ନୂଆଁଖାଇ ପାଇଁ ବହୁପୂର୍ବରୁ ସେଠାକାର ଅଧିବାସୀମାନେ ପ୍ରସ୍ତୁତିପର୍ବ ଆରମ୍ଭ କରି ଦେଇଥିଲେ । ଏପରିକି ଘରେ ଝୋଟି ପକାଇବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ଗଣପର୍ବରେ ସମସ୍ତେ ଘରକୁ ଆସି ଏକାଠି ହୋଇ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ ଏହା ବେଶ୍‌ ଉତ୍ସାହର ସହ ପାଳନ କରାଯାଇଥାଏ ।

ଶନିବାର ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ମଧ୍ୟ ଲାଗି କରାଯିବ । ତେବେ ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କ ଦର୍ଶନ କରିାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭକ୍ତମାନଙ୍କ ଭିଡ଼କୁ ନଜରରେ ରଖି ମା’ଙ୍କର ଦର୍ଶନ ସମୟକୁ ପରିଚାଳନା କମିଟି ପକ୍ଷରୁ ପରିବର୍ତ୍ତନ କରାଯାଇଛି । ଦିନ ସାଢେ ୧୨ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ ।

ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ବଡ଼ପର୍ବ। ଏହି ଅବସରରେ ପୁରା ପରିବାର ଏକତ୍ରିତ ହୋଇ ମା’ଙ୍କୁ ଦର୍ଶନ କରିବା ସହ ନବାନ୍ନ ଖାଇଥାନ୍ତି । ଏହାକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଗାଁଠୁ ସହର ସବୁଆଡ଼େ ପ୍ରସ୍ତୁତି ସରିଛି । ଏଥିପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଥିବାରୁ ବେଳେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏହାବ୍ୟତୀତ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ଦୋକାନ ବଜାରରେ ଅସମ୍ଭବ ଗହଳି ଲାଗି ରହିଛି ।

Get real time updates directly on you device, subscribe now.