fbpx

ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର: ଚାଷୀଙ୍କ ସହିତ ବୁଣାକାରଙ୍କର ମଧ୍ୟ ହେବ ରୋଜଗାର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତାକାଲି ପାଳିତ ହେବ । ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଅର୍ପଣ କରାଯିବା ପରେ ପରିବାରର ସଦସ୍ୟଙ୍କ ସହିତ ନବାନ୍ନ ଭକ୍ଷଣ କରିଥା’ନ୍ତି । ନୂଆଖାଇ କେବଳ ଏକ ପର୍ବ ନୁହେଁ, ବରଂ ଏହା ପଶ୍ଚିମ ଓଡ଼ିଶାର ଲୋକମାନଙ୍କର ଏକ ସାଂସ୍କୃତିକ ଜୀବନଶୈଳୀ । ପଶ୍ଚିମ ଓଡ଼ିଶାର କଳାସଂସ୍କୃତି, ଭାଷା, ପରମ୍ପରା, ଚାଲିଚଳଣ ସହିତ ନୂଆଖାଇ ପର୍ବ ଜଡ଼ିତ । ବିଭିନ୍ନ ସ୍ଥାନରେ ନବାନ୍ନ ଭକ୍ଷଣ ପରେ ସାତ ଆଠ ଦିନ ପରେ ମଧ୍ୟ ସାଂସ୍କୃତିକ ଦଳ ଓ ମୁଖ୍ୟମାନଙ୍କୁ ନେଇ ନୂଆଖାଇ ଭେଟ୍‍ଘାଟ୍‍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ । ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟ ବାହାରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲୋକ ଏବଂ ପ୍ରବାସୀ ଭାରତୀୟମାନେ ମଧ୍ୟ ନୂଆଖାଇ ଭେଟ୍‍ଘାଟ ଆୟୋଜନ କରିଥା’ନ୍ତି ।

ଆସନ୍ତାକାଲିର ଏହି ପର୍ବପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ଗ୍ରାମ ଓ ସହରରେ ନୂଆଖାଇ ଉତ୍ସବ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଖାଇ ଉତ୍ସବପାଇଁ ଆବଶ୍ୟକ ସରଞ୍ଜାମ କିଣିବାପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ନୂଆଁଖାଇ ଯେହେତୁ ଏକ କୃଷିଭିତ୍ତିକ ପର୍ବ,ତେଣୁ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି । ସେପଟେ ବୁଣାକାରଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟାଇଥାଏ ‘ନୂଆଖାଇ’ । କୃଷି ଭିତ୍ତିକ ଏହି ଗଣପର୍ବରେ କୃଷକ ମାନେ ନୂତନ ଉତ୍ପାଦିତ ଶସ୍ୟ ଓ ପନିପରିବା ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଥାନ୍ତି । ଅନ୍ୟପଟେ ଏହି ପର୍ବରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାର ନୂତନ ପରମ୍ପରା ଏବେ କିଛି ବର୍ଷ ହେଲା ସମ୍ବଲପୁରୀ କପଡା ବୁଣୁଥିବା ବୁଣାକାରଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟାଇଦେଇଛି । ନୂଆଖାଇ ପୂର୍ବରୁ ବରଗଡ ଜିଲ୍ଲାର ସମସ୍ତ ବୁଣାକାର ଭାଇମାନେ ପ୍ରସ୍ତୁତ ହୋଇଯାନ୍ତି । ନୂତନ ନୂତନ ଡିଜାଇନର ଶାଢୀ ଓ ଡ୍ରେସ ପ୍ରସ୍ତୁତ କରିଥାନ୍ତି । ନୂଆଖାଇ ପୂର୍ବରୁ ବରଗଡ ସହରର ସମସ୍ତ ସମ୍ବଲପୁରୀ ଶାଢୀ ଦୋକାନ ମାନଙ୍କରେ ସମ୍ବଲପୁରୀ କପଡା କ୍ରୟ କରିବାକୁ ଲୋକଙ୍କ ସୁଅ ଛୁଟିଥାଏ । ସମ୍ବଲପୁରୀ କପଡାର ଚାହିଦା ବହୁତ ରହିଥିବାବେଳେ ବୁଣାକାର ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ୍‍ ବନ୍ଦ୍‍ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିସହ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‍ ସଂସ୍ଥାଗୁଡ଼ିକ ମଧ୍ୟ ବନ୍ଦ୍‍ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପୂର୍ବରୁ ରାଜ୍ୟ ସରକାର ସୋମବାର ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ନୂଆଖାଇ ପର୍ବ ଆସନ୍ତା ୮ ତାରିଖ ରବିବାର ଛୁଟି ଦିନରେ ପଡ଼ୁଥିବାରୁ ଆସନ୍ତ ୯ ତାରିଖ ସୋମବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.