fbpx

ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ: ଜୁଲାଇ ମାସରେ ସରିବ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଅନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ରାଜ୍ୟରେ ପାଖାପାଖି ୫୪ ପ୍ରତିଶତ ଲୋକ ଓବିସି ବର୍ଗର ହୋଇଥିବା ବେଳେ ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶାସକ ଦଳ ପାଇଁ ଏକ ମାଷ୍ଟରଷ୍ଟ୍ରୋକ ହୋଇପାରେ । ଏହି ସର୍ଭେ କାର୍ୟ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ଜୁଲାଇ ୧୨ ତାରିଖ ସୁଦ୍ଧା ଏହାକୁ ଶେଷ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଆସନ୍ତା ମେ ମାସ ୧ ତାରିଖରୁ ରାଜ୍ୟରେ ଓବିସି ସର୍ଭେ କାର୍ୟ୍ୟ ଆରମ୍ଭ ହୋଇ ସେହି ମାସ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ । ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ରାଜ୍ୟରେ ଏବେ ଅନୁସୂଚିତ ଜାତି (ଏସସି)ଙ୍କୁ ୨୨.୫, ଅନୁସୂଚିତ ଜନଜାତି (ଏସଟି)ଙ୍କୁ ୧୬.୨୫ ଓ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ପାରୁନାହାନ୍ତି । ଓବିସି ବର୍ଗର ଜନସଂଖ୍ୟା ଅନୁପାତରେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଥିବାରୁ ଏହାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚାହୁଁଛନ୍ତି ।

ଓବିସି ବର୍ଗଙ୍କୁ କମ୍ ସଂରକ୍ଷଣ ମିଳୁଥିବାରୁ ସେମାନେ ଚାକିରି ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେଣୁ ୨୦୨୧ ଜନଗଣନାରେ ପଛୁଆ ବର୍ଗଙ୍କୁ ସାମିଲ କରିବାକୁ ରାଜ୍ୟ କ୍ୟାବିନେଟ ସଂକଳ୍ପ ପାରିତ କରିଥିଲା । କେନ୍ଦ୍ର ସରକାର ମଧ୍ୟ ଏନେଇ ରାଜ୍ୟକୁ ଅନୁରୋଧ କରିଥିଲେ । ୨୦୨୧ ଜନଗଣନା ବର୍ତ୍ତମାନ ହୋଇନଥିବା ବେଳେ ଗତ ୨୦୨୧ ଫେବୃଆରୀରେ ରାଜ୍ୟ ଓବିସି କମିଶନକୁ ରାଜ୍ୟ ସରକାର ସର୍ଭେ ପାଇଁ ଅନୁମତି ଦେଇଥିଲେ । ମାତ୍ର କୋଭିଡ-୧୯ ମହାମାରୀ କାରଣରୁ ଗତ ୨୦୨୧ ମସିହା ମେ ମାସରୁ ଏହି ସର୍ଭେ କାର୍ୟ୍ୟ ସ୍ଥଗିତ ରହିଥିଲା । ତେଣୁ ପୁଣି ଥରେ ଏହି କାର୍ୟ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଚଳିତ ମାସ ପହିଲାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ରାଜ୍ୟ ପଛୁଆ ବର୍ଗ କମିଶନ ସଦସ୍ୟ ସଚିବ ଚିଠି ଲେଖିଥିଲେ । ଏହି ସର୍ଭେରେ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ, ୧୧୪ଟି ପୌରାଞ୍ଚଳର ପଛୁଆ ବର୍ଗର ଲୋକଙ୍କ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ । ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ମହାନଗରଗୁଡ଼ିକରେ କମିଶନର ଦାୟିତ୍ୱ ବହନ କରିବେ ।

Get real time updates directly on you device, subscribe now.