fbpx
BJD
BJD SKY
BJD SKY

ଚାକରି କରିବାକୁ ଯାଇ କାମ୍ବୋଡ଼ିଆରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଯୁବକ: ୨ ଲକ୍ଷ ନ ଦେଲେ ଛାଡ଼ିବନି କହୁଛି କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରାଜ୍ୟର କିଛି ଯୁବକ ଅର୍ଥ ରୋଜଗାର କରିବାକୁ ଯାଇ ରାଜ୍ୟ ଓ ଦେଶ ବାହାରକୁ ଯାଇ ଠକାମିର ଶିକାର ହୋଇଥାନ୍ତି । ତେବେ ବିଦେଶକୁ ଯାଇ ଠକାମିର ଶିକାର ହେଲେ ସମସ୍ୟା ଅଧିକ ବଢ଼ିଯାଇଥାଏ । ନିକଟରେ ଜଣେ ଓଡ଼ିଆ ଯୁବକ ଅଧିକ ଅର୍ଥ ରୋଜଗାର କରିବାକୁ ଯାଇ କାମ୍ବୋଡ଼ିଆରେ ଫଶି ଯାଇଛନ୍ତି । ତେବେ ଉକ୍ତ ଯୁବକଙ୍କୁ ଏବେ ଠକ କମ୍ପାନୀ ଏକ ହୋଟେଲ କୋଠରୀରେ ବନ୍ଦୀ କରି ରଖିଥିବା ଜଣାପଡ଼ିଛି ।

ଖବର ମୁତାବକ, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ବିଶ୍ୱନାଥପୁରର ଜଣେ ଯୁବକ ଏଭଳି ଠକାମିର ଶିକାର ହୋଇଛନ୍ତି । ଯୁବକଙ୍କୁ କମ୍ପାନୀ ଏକ କୋଠରୀରେ ବନ୍ଦୀ କରି ରଖିବା ସହ ୨ ଲକ୍ଷ ଟଙ୍କା ଦେଲେ ଛାଡ଼ିବ ବୋଲି କହୁଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ନିକଟରେ ସେ ଗୁହାରି କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଉକ୍ତ ଯୁବକଙ୍କର ନିବେଦନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯୁବକ ଜଣଙ୍କ ଗୁଜରାଟର ଏକ ସଂସ୍ଥା ସମ୍ପର୍କରେ ଆସିବା ପରେ ସେ ଜୁଲାଇ ମାସରେ ସେଠାକୁ ଯାଇ କଥାବାର୍ତ୍ତା କରିଥିଲେ । ତେବେ ଭିଏତନାମର ଏକ କମ୍ପାନୀରେ କମ୍ପ୍ୟୁଟର ଅପରେଟର ଚାକିରି ଦିଆଯିବ । ସେଥିପାଇଁ ମାସକୁ ୭୦ ହଜାରରୁ ଅଧିକ ଟଙ୍କା ଦରମା ମିଳିବ ବୋଲି କମ୍ପାନୀ କହିବା ସହ ଯୁବକଙ୍କୁ ଏକ ଅଫର ଲେଟର ଦେଇଥିଲା । ଫଳରେ ଯୁବକ ଜଣଙ୍କ ଏଥିରେ ରାଜି ହୋଇ ଦସ୍ତଖତ କରିଦେଇଥିଲେ । ଏହାପରେ ସେ କମ୍ପାନୀକୁ ନଗଦ ୧.୫୦ ଲକ୍ଷ ଟଙ୍କା ଦେଇଥିଲେ ।

ଯୁବକ ଜଣଙ୍କ ଭିଏତନାମ ଯାତ୍ରା କରିବା ପରେ ତାଙ୍କୁ ସେଠାରୁ କାମ୍ବୋଡ଼ିଆ ନିଆଯାଇଥିଲା । ସେଠାରେ ଯୁବକଙ୍କୁ କମ୍ପାନୀ ସିମ କାର୍ଡ ଠକେଇ, ଓଟିପି ଠକେଇ ଆଦି କାର୍ଯ୍ୟରେ ନିୟୋଜିତ କରିଥିଲା । ଯୁବକଙ୍କୁ କମ୍ପାନୀ ଖାଇବାକୁ ଦେଉନଥିବା ବେଳେ ୨ ଲକ୍ଷ ଟଙ୍କା ଦେଲେ ମୁକ୍ତ କରିବେ କହି ମାନସିକ ନିର୍ଯାତନା ଦେଉଥିବା ଯୁବକ ଜଣଙ୍କ କହିଛନ୍ତି । ଧାର କରଜ କରି ୨.୫ ଲକ୍ଷ ଟଙ୍କା ପଠାଇଥିବା ବାପା ପୁଅକୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ସରକାରଙ୍କ ନିକଟରେ ଗୁହାରି କହିଛନ୍ତି ।

Get real time updates directly on you device, subscribe now.