ବାପାଙ୍କ ସ୍ୱପ୍ନ ଝିଅ କଲେ ପୂରା… KBC ଖେଳି ମୟୁରଭଞ୍ଜ ଝିଅ ଜିତିରେ ୧୨ ଲକ୍ଷ ୫୦ ହଜାର ଟଙ୍କା
ରାଇରଙ୍ଗପୁରରେ କରିସ୍ମାଙ୍କ ଘର । ଲଞ୍ଚ ପାଇଁ ଅମିତାଭ ବଚ୍ଚନ କଲେ ନିମନ୍ତ୍ରଣ ।
ରାଇରଙ୍ଗପୁର: ଭାରତର ବହୁ ପ୍ରଶଂସିତ କୁଇଜ୍ ଶୋ’ କନ୍ ବନେଗା କରୋଡପତିରେ କମାଲ କରିଛନ୍ତି ଓଡ଼ିଆ ଝିଅ କରିସ୍ମା । ବଲିଉଡ୍ ଲିଜେଣ୍ଡ ଅମିତାଭଙ୍କ ସାମ୍ନାରେ ହଟ୍ ସିଟରେ ବସିବାର ସୁଯୋଗ ପାଇଛନ୍ତି ସେ ।
ଖେଳରେ କରିସ୍ମା ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି । କରିସ୍ମାଙ୍କ ବାପା ବିଜୟ କୁମାର ଶର୍ମା ଜଣେ ବ୍ୟବସାୟୀ । ତାଙ୍କ ମା’ କାନ୍ତି ଦେବୀ ଜଣେ ଗୃହିଣୀ । ବିଜୟଙ୍କ ସ୍ୱପ୍ନ ଥିଲା ହଟ୍ ସିଟରେ ବସି କେବିସି ଖେଳିବା, ଯାହାକୁ ସତ କରିଛନ୍ତି ଝିଅ କରିସ୍ମା । ବହୁତ କଷ୍ଟିଆ ପ୍ରଶ୍ନର ଉତ୍ତର ଦେଇ କରିସ୍ମା ଜିତିପାରିଛନ୍ତି ୧୨ ଲକ୍ଷ ଟଙ୍କା ।
ସ୍ୱପ୍ନ କଲେ ପୂରା: କରିସ୍ମାଙ୍କ ପ୍ରତିଭାରେ ସମସ୍ତେ ଆଶ୍ଚର୍ଯ୍ୟ । ଜାନୁଆରୀ ୨୩ ଏବଂ ୨୭ରେ କରିସ୍ମା କେବିସି ଖେଳିଥିବା ଏପିସୋଡ୍ ଟେଲିକାଷ୍ଟ ହୋଇଥିଲା । ସହରର ୨ଟି ସ୍ଥାନରେ ବଡ଼ ଏଲଇଡି ସ୍କ୍ରିନ୍ ଲଗାଯାଇଥିଲା । ଯେଉଁଠାରେ ପରିବାର ଲୋକେ ଏବଂ ସାଙ୍ଗମାନେ ବସି ଟିଭି ଦେଖିଥିବା ନଜରକୁ ଆସିଥିଲା ।
ଅମିତାଭଙ୍କ ଘରକୁ ଯିବେ: ଅମିତାଭଙ୍କ ସାମ୍ନାରେ ବସି କେବିସି ଖେଲିବାର ସୁଯୋଗ ମିଳିବା ନେଇ ସେ ବେଶ୍ ଖୁସିଥିବା କହିଛନ୍ତି । କେବିସି ଟିମ୍ ପ୍ରଥମେ ଯେତେବେଳେ କରିସ୍ମାଙ୍କୁ ଶୋ’ରେ ଭାଗ ନେବା ପାଇଁ କଲ୍ କରିଥିଲା, ସେତେବେଳେ କରିସ୍ମା ଓ ତାଙ୍କ ପରିବାରକୁ ଏହା ବିଶ୍ୱାସ ହୋଇ ନ ଥିଲା । ଏକାଧିକ ଥର ଫେକ୍ କଲ୍ ଭାବି କରିସ୍ମା ଫୋନ୍ କଲର ଉତ୍ତର ଦେଉ ନଥିବା କହିଛନ୍ତି ।
୧୨ ଲକ୍ଷ ୫୦ ହଜାର ଟଙ୍କା ଜିତି କରିସ୍ମା ଖୁସିଥିବାବେଳେ ସବୁଠାରୁ ବେଶୀ ଖୁସି ଦେଇଛି ଅମିତାଭ ବଚ୍ଚନ କରିସ୍ମା ଓ ତାଙ୍କ ପରିବାରକୁ ଲଞ୍ଚ ପାଇଁ ନିମନ୍ତ୍ରଣ ଦେବା ।