fbpx

ହାଇଦ୍ରାବାଦରେ ଓଡ଼ିଆ IIT ଛାତ୍ରୀଙ୍କ ମୃତ୍ୟୁ: ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଆଇଟି ହାଇଦ୍ରାବରେ ପାଠ ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତା ଛାତ୍ରୀ ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ତାଙ୍କର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କହିଛନ୍ତି ।

ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲାର ୨୧ ବର୍ଷୀୟା ଓଡ଼ିଆ ଛାତ୍ରୀ ମମିତା ନାଏକ ହାଇଦ୍ରାବାଦରେ ପାଠ ପଢ଼ୁଥିଲେ । ଗତ ମାସ ୨୬ ତାରିଖରେ ସେ ଆଇଆଇଟିରେ ଏମ.ଟେକରେ ନାମଲେଖାଇଥିଲେ । ରାତିରେ ସବୁ ଛାତ୍ରୀ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବା ବେଳେ ମମିତା ଯାଇନଥିଲେ । ଏହାପରେ ତାଙ୍କର ଜଣେ ସହପାଠୀ ତାଙ୍କୁ ଫୋନ କରିଥିଲେ, ମାତ୍ର ସେ କଲ୍ ରିସିଭ୍ କରିନଥିଲେ । ଏହାପରେ ତାଙ୍କର ରୁମକୁ ଆସି ଦେଖିବା ବେଳକୁ ମମିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା ।

ଏହାପରେ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯିବା ପରେ ମମିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ମମିତାଙ୍କ ରୁମରୁ ଗୋଟିଏ ସୁଇସାଇଟ୍ ନୋଟ ପୋଲିସ ଜବତ କରିଛି । ଅର୍ଥାଭାବ ଓ ପାଠପଢ଼ାର ଚାପ କାରଣରୁ ସେ ସୁଇସାଇଡ୍ କରିଥିବା ସେଥିରେ ଉଲ୍ଲେଖ ରହିଥିବା ପୋଲିସ ସୂଚନା ଦେଇଛି । ତେବେ ଗତ ୧ ବର୍ଷ ମଧ୍ୟରେ ଗୋଟିଏ କ୍ୟାମ୍ପସରୁ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେଣୁ କାହିଁକି ଏତେମାତ୍ରାରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ସେନେଇ ଏବେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.