fbpx

କରୋନା ଔଷଧ ପ୍ରସ୍ତୁତି ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର, ୧୦/୦୫: କରୋନାରୁ ସୁସ୍ଥ ହେବା ପାଇଁ ଡିଆରଡିଓ ତିଆରି କରିଥିବା ଔଷଧ ୨-ଡିଜିକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ଡିସିଜିଆଇ  । ହାଇଦ୍ରାବାଦ ସ୍ଥିତ ଡ.ରେଡ୍ଡୀ ଲ୍ୟାବରୋଟୋରୀର ସହଭାଗିତାରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ତେବେ ଏହି ଔଷଧ ପ୍ରସ୍ତୁତ ପଛରେ ରହିଛି ଓଡ଼ିଆ ପୁଅ ଡାକ୍ତର.ଧନଞ୍ଜୟ ପାଣିଗ୍ରାହୀଙ୍କ ହାତ  । ସେ ଏହି ଔଷଧ ତିଆରି ପଛରେ ଏକ ବର୍ଷ ଧରି କାମ କରିଥିବା ଜଣାପଡିଛି ।

୨-ଡିଜିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପରେ ଜଣାପଡିଛି ଏହି ଔଷଧ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରାୟ ୪୨ ପ୍ରତିଶତ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି । ତେଣୁ ଏହା ଏକ ମହୌଷଧୀ ଭାବରେ କାମ କରିବା ନେଇ ଆଶା କରାଯାଉଛି । ଡିଆରଡିଓ ପ୍ରଥମେ ଏଭଳି ଏକ ଔଷଧ ପ୍ରସ୍ତୁତ କରିବା ନେଇ ଏକ ପ୍ରସ୍ତାବ ଦେଇଥିଲା  । ସଂସ୍ଥାର ବଛାବଛା ବୈଜ୍ଞାନିକମାନେ ଏଥିରେ ସାମିଲ ହୋଇଥିଲେ ।  ଔଷଧର ମଲିକ୍ୟୁଲକୁ ଡ.ରେଡ୍ଡୀ ଲ୍ୟାବକୁ ପଠାଯାଇଥିଲା । ଏହାର ଗବେଷଣା ପାଇଁ ୪ ଗବେଷକଙ୍କୁ ଔଷଧ ପ୍ରସ୍ତୁତିର ଦାୟିତ୍ୱ ମିଳିଥିଲା । ଡା. ପାଣିଗ୍ରାହୀ ଔଷଧ ଫର୍ମୁଲେସନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ଆଉ ଜଣେ ଓଡ଼ିଆ ଡା. ଅନୁପ ଚୌଧୁରୀ ମଧ୍ୟ ଏହି ୪ ଜଣିଆ ଟିମର ନେତୃତ୍ୱ ନେଉଥିବା ଜଣାପଡିଛି । ଏହା ପୂର୍ବରୁ ଡା.ପାଣିଗ୍ରାହୀ ମଧୁମେହ ରୋଗୀଙ୍କ ପାଇଁ ବଜାରରେ ଉପଲବ୍ଧ ହେଉଥିବା ଏକ ଔଷଧ ଉପରେ ମଧ୍ୟ କାର୍ଯ୍ୟ କରିଛନ୍ତି । କରୋନା ସଂକ୍ରମିତ ହୋଇ ମଧ୍ୟ ଡା.ପାଣିଗ୍ରାହୀ ଔଷଧ ପ୍ରସ୍ତୁତି ଉପରେ କଡ଼ା ନଜର ରଖିଥିଲେ ।

କରୋନା ସଂକ୍ରମିତଙ୍କୁ ଦୈନିକ ଏହି ଔଷଧ ୬ ମି.ଗ୍ରା ଖାଇବାକୁ ହେବ । ମାତ୍ର ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଖାଇବା ଉଚିତ ନୁହେଁ । ଏହା ସହ କେଉଁ ରୋଗୀଙ୍କୁ ଏହାକୁ କେତେଦିନ ପର୍ଯ୍ୟନ୍ତ ଖାଇବାକୁ ହେବ ତାହା ଚିକିତ୍ସା କରୁଥିବା ଡାକ୍ତର ନିଷ୍ପତ୍ତି ନେବେ । ଯେହେତୁ ୬ ମି.ଗ୍ରା ଖାଇବାକୁ ହେବ ସେଥିପାଇଁ ଏହାକୁ ବଟିକା ଆକାରରେ ପ୍ରସ୍ତୁତ କରିବା ସମ୍ଭବ ନଥିଲା । ତେଣୁ ଏହାକୁ ପାଉଡର ଆକାରରେ ତିଆରି କରିବା ନିଷ୍ପତ୍ତି ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏହା ବେଶ୍ ଆଶାଜନକ ସଫଳତା ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ଦେଶର ୨୭ଟି ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.