fbpx

କାବୁଲି ବୁଟ ଉତ୍ପାଦନରେ ଓଡ଼ିଶା ହେବ ଏକ ନମ୍ବର: ନୂଆ ବିହନ ପାଇଁ OUAT ପକ୍ଷରୁ ଚାଲିଛି ରିସର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ନଭେମ୍ବର ମାସ ୧୦ ତାରିଖରେ ପ୍ରତିବର୍ଷ ମାଣ୍ଡିଆ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ବର୍ତ୍ତମାନ ଚାଲିଥିବା ବିଶ୍ୱକପ ହକି ଅବସରରେ ସମସ୍ତ ଖେଳାଳିଙ୍କୁ ମାଣ୍ଡିଆ ଜାତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦାନ ନେଇ ମେନ୍ୟୁ ପ୍ରସ୍ତୁତ କରିଥିଲେ । ଅନୁରୂପ ଭାବେ କାବୁଲି ବୁଟ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ହେବା ନେଇ ସରକାରଙ୍କ ଲକ୍ଷ୍ୟ ରହିଛି ।

ତେବେ ସୂଚନା ମୁତାବକ, ରାଜ୍ୟ ସରକାର ଏନେଇ ନିଜର ରୋଡମ୍ୟାପ ପ୍ରସ୍ତୁତ କରିସାରିଥିବା ବେଳେ ନୂଆ ବିହନ ସନ୍ଧାନରେ ରହିଛନ୍ତି । ସେଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଗବେଷଣା ଚାଲିଛି । ଏନେଇ ରାଜ୍ୟର ତିନୋଟି ଜିଲ୍ଲା କେନ୍ଦୁଝର, କଳାହାଣ୍ଡିଓ ନବରଙ୍ଗପୁରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ କାବୁଲି ବୁଟ ଚାଷ କରାଯାଉଛି । କେନ୍ଦୁଝରରେ ବୁଟର ଚାରା ଉପରେ ଗବେଷଣା କରାଯାଉଥିବା ବେଳେ ଅନ୍ୟ ଦୁଇ ଜିଲ୍ଲାରେ ବିକଶିତ ନୂଆ ବିହନ ଉପରେ ଚାଷ କରାଯାଉଛି ।

ରବି ଋତୁରେ ଏକ ଅର୍ଥକାରୀ ଫସଲ ଭାବେ କାବୁଲି ବୁଟ ରାଜ୍ୟରେ ଚାଷ ହୋଇପାରିବ । ଆଗକୁ ରାଜ୍ୟ ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେବ ନାହିଁ । ଏହି ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ସେଥିପାଇଁ ଓୟୁଏଟି ଓ ଅନ୍ତର୍ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ଓକ୍ରିସାଟ ସହଭାଗିତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବାଲିଆ ମାଟିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରକାରର ମୃତ୍ତିକାରେ ଏହି ଚାଷ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଚାଷ ପାଇଁ ହେକ୍ଟର ପିଛା ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀ ୧.୫-୨ ଲକ୍ଷ ଆୟ କରିପାରିବ । ରାଜ୍ୟରେ ବର୍ତ୍ତମାନ ବିଭିନ୍ନ କିସମର ବିହନରୁ ଭଲ ଉତ୍ପାଦନ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.