ବିଧାୟକଙ୍କୁ ସସପେଣ୍ଡ ପରେ ଜୋରଦାର ପ୍ରତିବାଦ, ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ
ସାରା ରାତି ଧାରଣା ଦେଲେ କଂଗ୍ରେସ ବିଧାୟକ । ମୋତେ ନ୍ୟାୟ ଦରକାର କହିଲେ ତାରାପ୍ରସାଦ ବାହିନୀପତି ।
ଭୁବନେଶ୍ବର: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ ଛାଡି ଦେଇଥିଲା । ଏହାପରେ ମଧ୍ୟ ବିଧାୟକ ଏବଂ କଂଗ୍ରେସ କର୍ମୀ ଜିଦରେ ରହି ରାଜରାସ୍ତାରେ ଧାରଣ ଦେବା ସହିତ ଶୋଇଥିବା ମଧ୍ୟ ଦେଖାଯାଇଥିଲା ।
ତେବେ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଭାବବିହ୍ବଳ ମଧ୍ୟ ହୋଇଯାଇଥିଲେ । ମୋତେ ନ୍ୟାୟ ଦରକାର କହିଲେ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର ।
ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା । ପିସିସି ସଭାପତି, ନିରଞ୍ଜନ, ନରସିଂହ, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ । ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ଛାଡ଼ିଲେନି । ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ । ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର କହିଲେ ତାରା ।
ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ଓଡିଶା ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି । ବରିଷ୍ଠ ବିଧାୟକ ତାରାବାହୀନୀ ପତି ରାତି ତମାମ ରାଜରାସ୍ତାରେ ରହିବା କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର ଏବଂ ରମେଶ ଜେନାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି ।