B.Ed ଆଡ଼ମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର, ଜାଣନ୍ତୁ କିପରି ହେବ ଚୟନ ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବି.ଏଡ୍/ଏମ୍.ଏଡ୍/ ବି.ଏଚ୍.ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଠାରୁ Common Application Form (CAF) ପୂରଣ ପ୍ରକିୟା ଆରମ୍ଭ ହେବ । ଏଥିସହ ଶିକ୍ଷା ବର୍ଷ ୨୦୨୫-୨୬ରେ ଦୁଇ ବର୍ଷିଆ ବି.ଏଡ୍/ଏମ. ଏଡ୍/ ବି.ଏଚ୍.ଏଡ୍ ପାଠ୍ୟକ୍ରମକୁ ଆସନ୍ତା ୨୪ ଜୁଲାଇ, ୨୦୨୫ ତାରିଖ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

 

ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି.ଏଡ୍/ଏମ.ଏଡ୍/ ବି.ଏଚ.ଏଡ୍ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକ୍ରିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ । ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।