ବିରଳ ରୋଗର ଚିକିତ୍ସା ପାଇଁ ଜାତୀୟ ଢାଞ୍ଚାରେ ପ୍ରଣୟନ ହେବ ନୀତି, ରାଜ୍ୟ ସରକାର ଜାରି କରିବେ ମାର୍ଗଦର୍ଶିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିରଳ ରୋଗର ସଫଳ ଚିକିତ୍ସା ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ବିଭିନ୍ନ ପ୍ରକାର ବିରଳ ରୋଗର ଚିକିତ୍ସା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରୀୟ ଢାଞ୍ଚାରେ ଗାଇଡଲାଇନ୍ ଜାରି କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

ଜଗା-ବଳିଆଙ୍କ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଏମ୍ସରେ ଉନ୍ନତମାନର ଚିକିତ୍ସା କରାଯାଇଥିଲା । ତାହା ଓଡ଼ିଶା ସରକାରଙ୍କୁ ସେବା କ୍ଷେତ୍ରରେ ପ୍ରଶଂସା ଯୋଗାଇବା ସହ ନୂଆ ଅଧ୍ୟା ସୃଷ୍ଟି କରିଥିଲା । ଏକାଧିକ ବିରଳ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି । ଅନ୍ୟ ଦେଶରେ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ସୃଷ୍ଟି ହୋଇ ଆମ ଦେଶରେ ମାଡ଼ି ଯାଉଛି । ନୂଆ ଓ ବିରଳ ରୋଗର ହଠାତ୍ ଚିକିତ୍ସା ବ୍ୟବସ୍ଥା ଅସମ୍ଭବ ।

ତେଣୁ ଏପରି ବିରଳ ରୋଗର ସଫଳ ଚିକିତ୍ସା ପାଇଁ ପୂର୍ବ ପ୍ରସ୍ତୁତି ନିହାତି ଜରୁରୀ । ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ମାନବ ସମ୍ବଳର ଅଭାବ ନଥିବା ବେଳେ ଏମ୍ସ ଭଳି ଜାତୀୟ ସ୍ତରରର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରହିଛି । ଏହାଛଡ଼ା ଆଇଏଲଏସ, ଆରଏମଆରସି ଭଳି ଅତ୍ୟାଧୁନିକ ଗବେଷଣା ସଂସ୍ଥା ରହିଛି । ବିରଳ ରୋଗର ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଛି ।