କଲେଜର କର୍ମଚାରୀ ଓ ଅଧ୍ୟାପକମାନେ ବଦଳି ପାଇଁ ସୁପାରିସ ଆଣିଲେ ହେବ ଆକ୍ସନ, ଉଚ୍ଚ ଶିକ୍ଷା ବିଭାଗର ତାଗିଦ
ବଦଳି ଓ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗରେ ଏବେ ମାଳ ମାଳ ସୁପାରିସ । ଯେଉଁମାନେ ବଦଳି ଓ ନିଯୁକ୍ତି ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...
ଭୁବନେଶ୍ୱର : କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ । ବଦଳି ଓ ନିଯୁକ୍ତି ପାଇଁ ସୁପାରିସ ଆଣିଲେ ହେବ କାର୍ଯ୍ୟାନୁଷ୍ଠାନ । ବଦଳି ଓ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗରେ ଏବେ ମାଳ ମାଳ ସୁପାରିସ ।
ଅଧ୍ୟକ୍ଷ ପଦରେ ନିଯୁକ୍ତି, ନିଜ ପସନ୍ଦର କଲେଜକୁ ବଦଳି ପାଇଁ ପ୍ରତିଦନ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କ ସୁପାରିସ ଥିବା ଆବେଦନ ପତ୍ର ଆସୁଛି । ବିଭାଗରେ ଏସବୁ ଫାଇଲ ଥାକ ଥାକ ଥୁଆହୋଇଛି ।
କେବଳ ସେତିକି ନୁହେଁ ଗୋଟିଏ ସ୍ଥାନକୁ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସ ଧରି ଆସୁଥିବା ଅଧ୍ୟାପକଙ୍କ ସଂଖ୍ୟା ବି ଅନେକ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ୪୮୮ ବର୍ଗ ଓ ୬୬୨ ବର୍ଗ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଚେତାବନୀ ସମ୍ବଳିତ ଚିଠି ଲେଖିଛନ୍ତି । ଯେଉଁମାନେ ବଦଳି ଓ ନିଯୁକ୍ତି ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନିକ ଆବଶ୍ୟକତା, ମେରିଟ ଅନୁସାରେ ଅନୁଦାନପ୍ରାପ୍ତ କଲେଜରେ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ହୋଇଥାଏ ।
ତେବେ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ସର୍ଭିସ ରୁଲ ଉଦ୍ଦିଷ୍ଟ ନୁହେଁ । ଏଥିସହ ସେମାନଙ୍କର ବଦଳି ହୋଇନଥାଏ । ତେଣୁ ଏହାକୁ ଉଲ୍ଲଂଘନ କରି ବଦଳି ଓ ନିଯୁକ୍ତି ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଚେତାଇ ଦିଆଯାଇଛି । ଅନୁଦାନପ୍ରାପ୍ତ କଲେଜର କର୍ମଚାରୀ ଓ ଅଧ୍ୟାପକମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ବଦଳି ପାଇଁ ଚାପ ପକାଇବାରୁ ନିବୃତ୍ତ ରହିବାକୁ କୁହାଯାଇଛି ।