fbpx

ରାଜ୍ୟରେ ବଢିଚାଲିଛି ତାତି, ବଲାଙ୍ଗିର ଏବଂ ସୋନପୁରରେ ତାପମାତ୍ରା ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ଦିନ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଆଜି ବଲାଙ୍ଗିର ଏବଂ ସୋନପୁରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ରାଜ୍ୟରେ ଆଜି ତିନୋଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ଏବଂ ଟିଟିଲାଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିଭଳି ୫ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ୪୧.୩, ସମ୍ବଲପୁରରେ ୪୧.୫, ସୁନ୍ଦରଗଡ଼ରେ ୪୧.୫, ଭବାନୀପାଟଣାରେ ୪୧, ଏବଂ ବୌଦ୍ଧରେ ୪୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଏହା ପଛକୁ ହିରାକୁଦରେ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଗାମୀ ୩ରୁ ୪ ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଆଞ୍ଚଳିକ ପାଣୀପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କୁହାଯାଇଛି । ତେବେ ଅଭ୍ୟନ୍ତରିଣ ଓଡ଼ିଶାରେ କିଛିକିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିପାରେ ବୋଲି ପୁର୍ବାନୁମାନ କରାଯାଇଛି । ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସ୍ୱଭାବିକ ତାପମାତ୍ରା ରହିବ ।

ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ପରେ ୧୪ ତାରିଖ ବେଳକୁ ରାଜ୍ୟରେ ବିଜୁଳି ଘଡଘଡି ସାମାନ୍ୟ ବଢିପାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୁର୍ବାନୁମାନ କରାଯାଇଛି ।

 

Get real time updates directly on you device, subscribe now.