fbpx

ରାମଲଲାଙ୍କୁ ଓଡ଼ିଶାର ଭେଟି: ଅଯୋଧ୍ୟା ଯିବ ମୟୂର କଣ୍ଠିଆ ଧନୁ

ଭୁବନେଶ୍ୱର: ସାରା ଦେଶ ଏବେ ରାମମୟ ହୋଇଉଠିଛି । ଆସନ୍ତା ୨୨ ତାରିଖରେ ରାମଲଲାଙ୍କର ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ ବେଶ ଆଡ଼ମ୍ବରର ସହିତ ପାଳନ କରାଯିବ । ତେବେ ଏହି ଅବସରରେ ଓଡ଼ିଶା ପକ୍ଷରୁ ରାମଲଲାଙ୍କୁ ଦିଆଯାଇଛି ଏକ ଅନନ୍ୟ ଭେଟି । ଓଡ଼ିଶାରେ ରାମଲଲାଙ୍କର ମୟୂର କଣ୍ଠିଆ ଧନୁ ତିଆରି କରାଯାଇଛି । ଏହାକୁ ସମର୍ପଣ କରିବେ ଐତିହ୍ୟ ଗବେଷକ ସୁଦର୍ଶନ ସାହୁ । ଜାଗମରାରେ ତାଙ୍କର ସଂଗ୍ରହାଳୟ ରହିଥିବା ବେଳେ ତାହା ତାଙ୍କ ବାପାଙ୍କର ସ୍ମୃତିରେ ସେ ଉତ୍ସର୍ଗ କରିଛନ୍ତି । ତେବେ ସେ ଏହାର ନାମ ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ ରଖିଛନ୍ତି ।

ସ୍ୱର୍ଗତ ଗୋପୀନାଥ କେବଳ କଂସାବାସନ ତିଆରିରେ କୁଶଳୀ କାରିଗର ନଥିଲେ ବରଂ ଜଣେ ଗୀତିନାଟ୍ୟ ଅଭିନେତା ଭାବରେ ମଧ୍ୟ ବେଶ ଜଣାଶୁଣା । ଏପରିକି ଯୁବାବସ୍ଥାରେ ସେ ନିଜ ଗ୍ରାମ କଣ୍ଟିଲୋରେ ରାମ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ପରିବାର ମଧ୍ୟ ଶ୍ରୀରାମଙ୍କର ବଡ଼ ଭକ୍ତ ଥିଲେ । ତେଣୁ ସୁଦର୍ଶନ ମଧ୍ୟ ଏଥିରେ ଅନୁପ୍ରାଣିତ ହୋଇଥିଲେ । ପ୍ରାୟ ଏକ ବର୍ଷ ତଳେ ସେ ଏହି ମୟୂର କଣ୍ଠିଆ ଧନୁ ତିଆରି କରିଥିଲେ । ଏହି ଧନୁ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମମନ୍ଦିରକୁ ସେ ଅର୍ପଣ କରିବେ ବୋଲି କହିଛନ୍ତି ।

ଏହି ଧନୁକୁ ସେ ତମ୍ବାରେ ତିଆରି କରିଛନ୍ତି । ଏହାର ତୀର ବିଛା ଗୁଣର ହୋଇଥିବା ବେଳେ ଦନୁର ଉପରି ଭାଗ ଓ ତଳ ଭାଗଟି ଓଲଟା ଶୁଆ ଆକୃତିର ତିଆରି ହୋଇଛି । ଏହାର ତୀର ବଗ ପଖିଆ ହୋଇଥିବା ବେଳେ ଧନୁର ଲମ୍ବ ୨୫ ଇଞ୍ଚ ଏବଂ ଓଜନ ୨ କିଲୋଗ୍ରାମ ରହିଛି । ଏହାକୁ ଅଯୋଧ୍ୟାରେ ରାମଲଲାଙ୍କୁ ଅର୍ପଣ କରିବା ପୂର୍ବରୁ ରାମମନ୍ଦିର ଟ୍ରଷ୍ଟ ନିକଟରେ ପ୍ରଥମେ ସମର୍ପଣ କରିବାକୁ ଅନୁମତି ପାଇଛନ୍ତି । ଏଥିପାଇଁ ସେ ୧୧ ତାରିଖରେ ପୁରୀ ପାପୁଡିଆ ମଠ ମହନ୍ତ ଏବଂ କଟକି ମଠ ମହନ୍ତ ମହାରାଜଙ୍କୁ ପ୍ରଦାନ କରିବେ । ପରେ ପୁରୀ ପାପୁଡ଼ିଆ ମଠାଧୀଶ ରାମକୃଷ୍ଣ ମହାରାଜ ଉକ୍ତ ଧନୁକୁ ସୁଦର୍ଶନଙ୍କ ଠାରୁ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ।

Get real time updates directly on you device, subscribe now.