fbpx
BJD
BJD SKY
BJD SKY

କନିଷ୍ଠ ଅଧ୍ୟାପକଙ୍କ କ୍ଷେତ୍ରରେ ଲାଗୁ ହେବ ପୁରୁଣା ପେନସନ୍ ରୁଲ୍ସ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କୁ ନେଇ ଏକ ଖୁସି ଖବର ଆସିଛି । କନିଷ୍ଠ ଅଧ୍ୟାପକଙ୍କ କ୍ଷେତ୍ରରେ ପୁରୁଣା ୧୯୯୨ ପେନସନ ନିୟମ ଲାଗୁ ହେବ । ଏ କ୍ଷେତ୍ରରେ ପୁରୁଣା ଓଡ଼ିଶା ସିଭିଲ ସର୍ଭିସ ପେନସନ ରୁଲ୍ସ, ୧୯୯୨ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣ ଆବେଦନକାରୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଜଣାପଡ଼ିଛି ଯେ, ଗତ ୨୦୦୨ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ବିଜ୍ଞପ୍ତି ଆଧାରରେ ଜଣେ ବ୍ୟକ୍ତି କନିଷ୍ଠ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ତେବେ ପରବର୍ତ୍ତୀ ସମୟରେ ୨୦୦୫ ମସିହା ମେ ମାସ ୧୭ ତାରିଖରେ ରାଜ୍ୟ ସରକାର ଓଡ଼ିଶା ସିଭିଲ୍ ସର୍ଭିସ ପେନସନ୍ ରୁଲ୍ସ, ୧୯୯୨କୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିସହ ସଂଶୋଧିତ ନିୟମ ୨୦୦୫ ମସିହା ଜାନୁଆରୀ ୧ ତାରିଖଠାରୁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।

ତେବେ ଏନେଇ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୦୫, ମେ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସଂଶୋଧିତ ପେନସନ ନିୟମ ପୁରୁଣା ତାରିଖ ୨୦୦୫, ଜାନୁଆରୀ ୧ରୁ କାର୍ଯ୍ୟକାରୀ ପାଇଁ କୁହାଯିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ । ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଆବେଦନକାରୀ ନିଯୁକ୍ତି ପାଇସାରିଥିବାରୁ ସେମାନଙ୍କ ପାଇଁ ସଂଶୋଧିତ ନିୟମାବଳୀ ଲାଗୁ ହୋଇପାରିବ ନାହିଁ । ତେବେ ସରକାରଙ୍କ ଏପରି ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଆବେଦନକାରୀଙ୍କ କ୍ଷେତ୍ରରେ ଓଡ଼ିଶା ସିଭିଲ ସର୍ଭିସ୍ ପେନସନ ରୁଲ୍ସ, ୧୯୯୨ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.