fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସିଖବର: ଲାଗୁ ହୋଇପାରେ ପୁରୁଣା ପେନସନ୍ ଯୋଜନା

ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ପରେ ପଞ୍ଜାବ, ଛତିଶଗଡ଼ ଓ ଝାଡଖଣ୍ଡ ସରକାର ପୁରୁଣା ପେନସନ୍ ଯୋଜନାକୁ ପୁଣି ଲାଗୁ କରିବାକୁ ଘୋଷଣା କରିଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ରାଜ୍ୟରେ ସରକାର କଲେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ପ୍ରତିଶୃତି ଦେଇଛି । ଅନ୍ୟପଟେ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଦୀର୍ଘ ଦିନ ଧରି ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଆସୁଛନ୍ତି ।

ନୂଆ ବର୍ଷ ପୂର୍ବରୁ ଆସିଥିବା ଏହି ଖବରରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଆରାମ ମିଳିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ଏହାକୁ ବିଚାର କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । କେନ୍ଦ୍ରୀୟ କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ଉପରେ ଆଇନ ମନ୍ତ୍ରଣାଳୟରୁ ପରାମର୍ଶ ଲୋଡିଛନ୍ତି । କେଉଁ ବିଭାଗରେ ପୁରୁଣା ପେନସନ୍ ଯୋଜନା(ଓପିଏସ୍) କାର୍ଯ୍ୟକାରୀ କରାଯାଇପାରିବ ବୋଲି ଆଇନ ମନ୍ତ୍ରଣାଳୟକୁ ପଚରାଯାଇଛି । ଏହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଠୋସ୍ ଉତ୍ତର ଦିଆଯାଇ ନାହିଁ ।

ତେବେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ଯୋଜନା(ଓପିଏସ୍) ରଦ୍ଦ କରାଯାଇଥିଲା । ଏହା ସହ ଜାନୁଆରୀ ୨୦୦୪ ରୁ ଜାତୀୟ ପେନସନ୍ ସିଷ୍ଟମ୍ (ଏନପିଏସ) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଏନପିଏସ ହେଉଛି ଏକ ଅଂଶଦାନ ଆଧାରିତ ପେନସନ୍ ଯୋଜନା ଏବଂ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

Get real time updates directly on you device, subscribe now.