ଦିନେ ଥିଲେ ୱେଟର, କମେଡିଆନ୍ ଚରିତ୍ର ଦେଲା ନୂଆ ପରିଚୟ… ଜାଣନ୍ତୁ ତାଙ୍କ ସଂଘର୍ଷର କଥା

ବୋମାନ୍ ଶାହରୁଖ ଖାନଙ୍କ ସହ ୨୦୦୦ ମସିହାରେ ମନସୁର ଖାନଙ୍କ ନିର୍ଦ୍ଦେଶିତ ‘ଜୋଶ୍‌’ ଫିଲ୍ମରେ ବଲିଉଡରେ ପାଦ ଥାପି ଥିଲେ । IIFA ଆୱାର୍ଡ଼ ଫର୍ ବେଷ୍ଟ ପରଫର୍ମାନ୍ସ ଇନ୍ ନେଗେଟିଭ୍ ରୋଲ ପାଇଁ ତାଙ୍କୁ ଆୱାର୍ଡ଼ ମିଳିଥିଲା ।

ମୁମ୍ବାଇ: ୪୦ ବର୍ଷ ପରେ ବଲିଉଡରେ ଡେବ୍ୟୁ କରିଥିଲେ ଏହି ଅଭିନେତା । ନିଜ କ୍ୟାରରରେ ଗମ୍ଭୀର ଠାରୁ ଆରମ୍ଭ କରି କମେଡିଆନ୍ ଚରିତ୍ର ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ବଲିଉଡରେ ଅନ୍ୟ କଳାକାରମାନେ ଯେତେବେଳେ ନିଜ କ୍ୟାରିୟରର ଶୀର୍ଷରେ ଥିଲେ ସେତେବେଳେ ସେ ସଂର୍ଘଷ କରୁଥିଲେ ।

ନିଜ ନିକ୍ଷୁଣ ଅଭିନୟର ଯାଦୁ ମାଧ୍ୟମରେ ସେ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ପ୍ରମାଣିତ କରିଛନ୍ତି କି ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ବୟସ କେବେ ବି ବାଧକ ସାଜେନି ।

ସେ ଆଉ କେହି ନୁହିଁନ୍ତି ବରଂ ଥ୍ରୀ ଇଡିୟଟ୍ସର ‘ଭାଇରସ୍‌’ ବୋମାନ୍ ଇରାନୀ ।

ଜନ୍ମ: ବୋମାନ୍ ଇରାନୀ ୨ ଡିସେମ୍ବର ୧୯୫୯ରେ ମୁମ୍ବାଇ ସ୍ଥିତ ଏକ ଇରାନୀ ପାରସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଜନ୍ମର ୬ ମାସ ପୂର୍ବରୁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ସେ ପିଲାଦିନୁ ଡିସଲେକ୍ସିକ୍ ଥିଲେ ଏବଂ କଥା କହିବା ସମୟରେ ଅଟକୁଥିଲେ ।

ଫଟୋଗ୍ରାଫିର ସଉକ: ବୋମାନ ଇରାନୀଙ୍କୁ ପାଠପଢ଼ା ସହ ଫଟୋଗ୍ରାଫିର ସଉକ ଥିଲା । ଦ୍ୱାଦଶ ଶ୍ରେଣୀ ପଢ଼ୁଥିବା ସମୟରେ ସ୍କୁଲରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ମ୍ୟାଚ୍ ସମୟର ଫଟୋ ଉଠାଉଥିଲେ ।

ଏହି କାର୍ଯ୍ୟରୁ ତାଙ୍କର ଅଳ୍ପ କିଛି ରୋଜଗାର ହୋଇଯାଉଥିଲା । ଏହା ପରେ ଜଣେ ପେଶାଦାର ଭାବେ ସେ ପ୍ରଥମେ ପୁନେ ବାଇକ୍ ରେସର ଫଟୋଗ୍ରାଫି କରିଥିଲେ ।

ଏହା ପରେ ତାଙ୍କୁ ମୁମ୍ବାଇରେ ଆୟୋଜିତ ହୋଇଥିବା ବିଶ୍ୱ କପକୁ କଭର କରିବା ପାଇଁ ସୁଯୋଗ ମିଳିଥିଲା ।

ହୋଟେଲରେ ଥିଲେ ୱେଟର: ପାଠପଢ଼ା ଶେଷ କରିବା ପରେ ବୋମାନ୍ ଇରାନୀ ମୁମ୍ବାଇ ସ୍ଥିତ ତାଜ୍ ହୋଟେଲରେ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ସେଠାରେ ସେ ୱେଟର୍ ଏବଂ ରୁମ୍ ସର୍ଭିସ୍ ଭାବେ କାର୍ଯ୍ୟ କରୁଥିଲେ । ତେବେ କୌଣସି କାରଣ ପାଇଁ ତାଙ୍କୁ ୨ ବର୍ଷ ଭିତରେ ଚାକିରି ଛାଡ଼ିବାକୁ ପଡ଼ିଥିଲା ।

ସେ ତାଙ୍କ ମାଆଙ୍କ ବେକରିରେ ୧୪ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ ।

ବଦଳିଲା ଭାଗ୍ୟ: ମାଆଙ୍କ ସହ ୧୪ ବର୍ଷ ପର୍ଯ୍ୟନ୍ତ କାମ କରିବା ପରେ ଦିନେ ସେ ଶ୍ୟାମକ୍ ଡାଭର(କୋରିଓଗ୍ରାଫର)ଙ୍କୁ ଭେଟିଥିଲେ ।

ସେ ତାଙ୍କୁ ଥିଏଟରରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଶାହରୁଖଙ୍କ ସହ ଡେବ୍ୟୁ: ବୋମାନ୍ ଶାହରୁଖ ଖାନଙ୍କ ସହ ୨୦୦୦ ମସିହାରେ ମନସୁର ଖାନଙ୍କ ନିର୍ଦ୍ଦେଶିତ ‘ଜୋଶ୍‌’ ଫିଲ୍ମରେ ବଲିଉଡରେ ପାଦ ଥାପି ଥିଲେ । ସେତେବେଳେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ଏହା ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ । ୨୦୦୧ରେ ଦୁଇଟି ଇଂରାଜୀ ଫିଲ୍ମ ‘ଏଭ୍ରିବଡି ସେଜ୍ ଆଇ ଆମ୍ ଫାଇନ୍‌’ ଏବଂ ‘ଲେଟ୍ସ ଟକ୍‌’ରେ ନଜର ଆସିଥିଲେ ।

କିନ୍ତୁ ୨୦୦୩ରେ ‘ମୁନ୍ନା ଭାଇ MBBS’ ଫିଲ୍ମରୁ ତାଙ୍କୁ ପରିଚୟ ମିଳିଥିଲା ।

କମେଡିଆନ୍ ଚରିତ୍ର: ବୋମାନ୍ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ଏଥିମଧ୍ୟରେ ହନିମୁନ୍ ଟ୍ରାଭେଲ୍ସ ପ୍ରାଇଭେଟ୍ ଲିମିଟେଡ୍‌, ଦୋସ୍ତାନା, ଯୁବରାଜ, ଡନ୍‌, ଥ୍ରୀ ଇଡିୟଟ୍ସ, ହମ୍ ତୁମ୍ ଔର ଘୋଷ୍ଟ, ହାଉସଫୁଲ୍‌, ହାଉସଫୁଲ ୨, ସଞ୍ଜୁ, ହେ ବେବି ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।

କିନ୍ତୁ ଦର୍ଶକମାନେ ତାଙ୍କ କମେଡି ଚରିତ୍ରକୁ ବେଶ୍ ପସନ୍ଦ କରିଥିଲେ ।

ଆୱାର୍ଡ଼: ‘ଥ୍ରୀ ଇଡିୟଟ୍ସ’ ଫିଲ୍ମରେ ‘ଭାଇରସ୍‌’ ଚରିତ୍ର ପାଇଁ ତାଙ୍କୁ ୩ଟି ଆୱାର୍ଡ଼ ମିଳିଥିଲା । ତାଙ୍କୁ ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ଫର ବେଷ୍ଟ ଭିଲେନ୍‌, ଫିଲ୍ମ ଫେୟାର ଆୱାର୍ଡ଼ ଫର୍ ବେଷ୍ଟ ସପୋର୍ଟିଂ ଆକ୍ଟର ଏବଂ IIFA ଆୱାର୍ଡ଼ ଫର୍ ବେଷ୍ଟ ପରଫର୍ମାନ୍ସ ଇନ୍ ନେଗେଟିଭ୍ ରୋଲ ପାଇଁ ଆୱାର୍ଡ଼ ମିଳିଥିଲା ।