fbpx

(Video) ପ୍ରକୃତିର କରାଳ ରୂପ: ଗୋଟିଏ ଦିନ ବର୍ଷାରେ ସାରା ସହର ଜଳମଗ୍ନ, ‘ସମୁଦ୍ର’ରେ ବୁଡ଼ି ରହିଛି ରନ୍-ୱେ

ନୂଆଦିଲ୍ଲୀ: ପ୍ରକୃତିର ନିୟମ ବଡ଼ ବିଚିତ୍ର । କେଉଁଠି ଡହଡହ ଖରାରେ ଜୀବଜନ୍ତୁ ଓ ମଣିଷ ଛଟପଟ ହେଉଛନ୍ତି ତ କେଉଁଠି ମୂସଳଧାରା ବର୍ଷା ଯୋଗୁଁ ଘର ବୁଡ଼ି ପାଣି ଆଣ୍ଠୁଏ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ଖରା ଓ ଅସହ୍ୟ ତାତିରୁ ମୁକ୍ତି ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସେପଟେ ଗୋଟିଏ ଦିନର ବର୍ଷା ଦୁବାଇ ସହରକୁ ଜଳମଗ୍ନ କରିଦେଇଛି । ରାସ୍ତାଘାଟରୁ ବିମାନ ବନ୍ଦର ସବୁକିଛି ପାଣିରେ ବୁଡ଼ି ରହିଛି । ମଙ୍ଗଳବାର ଗୋଟିଏ ଦିନରେ ହୋଇଥିବା ବର୍ଷା ସାରା ସହରର ବିଭିନ୍ନ ଅଞ୍ଚଳରେ ପାଣି ଭରି ଦେଇଛି, ଯାହା ଏବେ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି ।

ସୂଚନା ଅନୁସାରେ, ସଂଯୁକ୍ତ ଆରବ ଏମିରାତ(ୟୁଏଇ)ର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଦିନ ସମଗ୍ର ବର୍ଷର ବର୍ଷା ହୋଇଯାଇଥିବା କୁହାଯାଉଛି । ଫଳରେ ସାରା ସହରରେ ଭୀଷଣ ବନ୍ୟା ସୃଷ୍ଟି ହୋଇଛି । ରାସ୍ତାଘାଟ-ବିମାନବନ୍ଦର ଜଳମଗ୍ନ ହୋଇଯିବାରୁ ଯାତାୟତ ଠପ୍ ହେବା ସହ ଅନେକ ବିମାନ ରଦ୍ଦ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ରନ୍-ୱେ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଛି, ଯାହା ଏବେ ଏକ ସମୁଦ୍ରର ଭ୍ରମ ସୃଷ୍ଟି କରିପାରେ । ତେଣୁ ଏୟାରପୋର୍ଟରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ରୋକିବାକୁ ବାଧ୍ୟ ହୋଇଛି ପ୍ରଶାସନ । ଦୁବାଇରେ ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ ପ୍ରାୟ ୮୮.୯ ମି.ମି ବର୍ଷା ରେକର୍ଡ ହୋଇଥାଏ । ତେବେ ମଙ୍ଗଳବାର ଦୁବାଇ ଏୟାରପୋର୍ଟରେ ୧୨ ଘଣ୍ଟା ମଧ୍ୟରେ ପ୍ରାୟ ୧୦୦ ମି.ମି ବର୍ଷା ଏବଂ ୨୪ ଘଣ୍ଟାରେ ମୋଟ ୧୬୦ ମି.ମି ବର୍ଷା ରେକର୍ଡ କରାଯାଇଛି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଅନେକ ଭିଡିଓରେ ଦୁବାଇର ଜଳମଗ୍ନ ରନ୍-ୱେ ଦେଖିବାକୁ ମିଳିଛି । ପାଣିରେ ବୁଡ଼ି ରହିଥିବା ରନ୍-ୱେରେ ଥିବା ବିମାନ ଗୁଡ଼ିକ ପାଣିରେ ଭାସୁଥିବା ଡଙ୍ଗା ଭଳି ଦେଖାଯାଉଛି । ତେବେ ମଙ୍ଗଳବାର ଦୁବାଇ ସମେତ ଆବୁ ଧାବି, ଶାରଜାହରେ ଏବଂ ଅନ୍ୟ ପ୍ରମୁଖ ଅଞ୍ଚଳ ଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ନେଇ ମୌସୂମୀ ବିଭାଗ ତରଫରୁ ଚେତାବନୀ ଜାରି କରାଯାଇଥିଲା ।

Get real time updates directly on you device, subscribe now.