fbpx

ଚାଞ୍ଚଲ୍ୟକର ଘଟଣା! ବାଡ଼ି ଶାଗ ଖାଇବା ପରେ ଜଣଙ୍କର ମୃତ୍ୟୁ, ୩ ଜଣଙ୍କର ପେଟବ୍ୟଥା, ଝାଡ଼ବାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବିଭିନ୍ନ ପ୍ରକାରର ଖାଦ୍ୟପେୟ କାରଣରୁ ଅନେକ ସମୟରେ ମଣିଷ ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ । ସାଧାରଣ ଭାବେ ଗାଁମାନଙ୍କରେ ଥିବା ବାଡ଼ିରୁ ଶାଗ ଆଣି ଅନେକ ସମୟରେ କିଛି ଲୋକ ଖାଇଥାନ୍ତି । ତେବେ ସାଧାରଣ ଶାଗ ବୋଲି ଯାହାକୁ ଆମେ କହୁଛେ ତାହା ଯେ ଏତେ ଭୟଙ୍କର ହେବ ତାହା ବୋଧହୁଏ କେହି କଳ୍ପନା କରିନଥିବେ । ଏହି ଶାଗ ପାଇଁ ଆଜି ଜଣଙ୍କର ଜୀବନ ଚାଲିଯିବା ସହ ଆଉ କେତେକଙ୍କର ଅବସ୍ଥା ଶୋଚନୀୟ ହୋଇ ଯାଇଛି ।

ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଦର୍ଜିଙ୍ଗ ପଞ୍ଚାୟତରୁ ଏଭଳି ଏକ ଅଭାବନୀୟ ଘଟଣା ଆସିଛି । ସାଲେଇପାଲି ଗ୍ରାମର ମାଆ ଶୁକୁ ବଦ୍ରା, ମାମୁଁ ମାନତା ମୁଣ୍ଡା ଓ ୧୯ ବର୍ଷୀୟା ଝିଅ ଅନୁ ବଦ୍ରା ରାତିରେ ନିଜ ବାଡ଼ିରେ ଥିବା ଶାଗ ଖାଇଥିଲେ । ଏହାପରେ ରାତି ୪ଟା ସମୟରେ ଜଣଙ୍କ ପରେ ଜଣଙ୍କର ପେଟବ୍ୟଥା, ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ତେବେ ଏହି ଯନ୍ତ୍ରଣା ଅସହ୍ୟ ହେବାରୁ ୩ ଜଣଙ୍କୁ ନିକଟସ୍ଥ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ତେବେ ଝିଅ ଅନୁର ଅବସ୍ଥା ଗୁରୁତର ହେବାରୁ ତାକୁ ରାଉରକେଲା ଆରଜିଏଚକୁ ପଠାଯାଇଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ବିଳମ୍ବିତ ରାତ୍ରିରେ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଏବେ ଡାକ୍ତରଖାନାରେ ମୃତ ଝିଅର ମାମୁଁ ମାନତା ମୁଣ୍ଡା ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବାଡ଼ି ଶାଗ ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ଏମିତି ବିଗିଡ଼ିଯିବା ସହ ଜଣଙ୍କର ଜୀବନ ଚାଲିଯିବ ବୋଲି କେହି କେବେ କଳ୍ପନା କରିନଥିଲେ ।

Get real time updates directly on you device, subscribe now.