fbpx

‘ଏକ ଦେଶ- ଏକ ନିର୍ବାଚନ’: କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଏଥିସହିତ ଏହି କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ତେବେ ଏହି କମିଟିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମେତ ୮ ଜଣ ସ୍ଥାନ ପାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏହି କମିଟିରେ ଶାହ ଓ ଅଧୀରଙ୍କ ସମେତ ଗୁଲାବ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରୀଶ ସାଲଭେ, ସଞ୍ଜୟ କୋଠରୀ ସ୍ଥାନ ପାଇଛନ୍ତି । ଏଥିସହିତ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

ନରେନ୍ଦ୍ର ମୋଦୀ ସରକାର ଦେଶରେ ‘ୱାନ ନେସନ- ୱାନ ଇଲେକ୍ସନ’ ଲାଗୁ କରିବା ସପକ୍ଷରେ ରହିଛନ୍ତି । ଏଥିପାଇଁ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି । ସ୍ୱାଧୀନତାର କିଛି ବର୍ଷ ପର୍ଯ୍ୟନ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ନିର୍ବାଚନୀ ପରମ୍ପରା ଭାଙ୍ଗି ଯାଇଥିଲା । ତେବେ ଏହି ନିୟମ ଲାଗୁ ହେଲେ ଅନେକ ଫାଇଦା ମିଳିବା ସହ ଅନେକ କ୍ଷତି ହେବାର ସମ୍ଭାବନା ରହିଥିବା ବିଶ୍ଲେଷଣକାରୀମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.