fbpx

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଏକ୍‍ ଦେଶ- ଏକ୍‍ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଗତ ୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି ଗଠନ କରିଥିଲେ । ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକର ନିର୍ବାଚନ ଏକାସାଙ୍ଗରେ କରିବା ପ୍ରସଙ୍ଗରେ ବିଚାର କରିବା ପାଇଁ ଏହି କମିଟି ଗଠନ କରାଯାଇଥିଲା । ଭାରତୀୟ ସମ୍ବିଧାନର ନିୟମ ଓ ଅନ୍ୟାନ୍ୟ ବୈଧାନିକ ନିୟମ ଗୁଡ଼ିକୁ ବିଚାରକୁ ନେଇ କମିଟି ତାଙ୍କର ସୁପାରିଶ୍‍ ଜଣାଇବେ ।

ସମ୍ବିଧାନ ସଂଶୋଧନରେ ରାଜ୍ୟ ଗୁଡ଼ିକର ସମର୍ଥନର ଆବଶ୍ୟକତା ରହିଛି କି ନାହିଁ, କମିଟି ମଧ୍ୟ ତାହାର ଯାଞ୍ଚ କରି ସୁପାରିଶ୍‍ କରିବ । ଏହାଛଡ଼ା କମିଟି ବିଭିନ୍ନ ପକ୍ଷ ସହ ଆଲୋଚନା କରି ଏହି ବିଷୟ ଉପରେ ଗବେଷଣା ଓ ଦସ୍ତାବିଜ୍‍ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ କଥାବାର୍ତ୍ତା କରିବେ । ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକ ପାଇଁ ଏକା ସାଙ୍ଗରେ ନିର୍ବାଚନ କରାଇବା ହେଉଛି ଏକ ଦେଶ-ଏକ ନିର୍ବାଚନ ର ମୁଖ୍ୟ ଉଦ୍ଦେଶ୍ୟ ।

ତେବେ ସେପ୍ଟେମ୍ବର ୨୩ରେ ଓଡିଶା ଗସ୍ତ ସମୟରେ କୋବିନ୍ଦ ଏହି ବୈଠକ ବିଷୟରେ ସୂଚନା ଦେଇଥିଲେ। ଦେଶରେ ଲୋକ ସଭା, ରାଜ୍ୟ ସଭା, ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତ ପାଇଁ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ବିଚାର କରିବା ପାଇଁ କେନ୍ଦ୍ର ସରକାର ସେପ୍ଟେମ୍ବର ୨ରେ ଏକ ୮ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ।

Get real time updates directly on you device, subscribe now.