ଜମି କିଣାବିକା ମାମଲାରେ ହେଉଛି ବଡ ପରିବର୍ତ୍ତନ, ଘରେ ବସି କରିପାରିବେ ପଞ୍ଜୀକରଣ

ସମ୍ପତ୍ତି ପଞ୍ଜୀକରଣ ନିମନ୍ତେ ଆଉ ବାହାରକୁ ଯିବାକୁ ପଡିବ ନାହିଁ, ଡିଜିଟାଲ ଉପାୟରେ ଘରେ ବସି କରାଯାଇପାରିବ ଏହି ସବୁ କାମ

ଓଡିଶା ଭାସ୍କର: ବର୍ତ୍ତମାନର ଯୁଗ ହେଉଛି ଅନଲାଇନର ଯୁଗ। ଯେକୌଣସି କାମ ହେଉ ଆଉ ବାହାରକୁ ଯିବାକୁ ପଡୁନାହିଁ। ଘରେ ବସି କିଛି ସମୟ ମଧ୍ୟରେ ସେହି କାମ କରିହେଇଯାଉଛି। ସେହିପରି, ଏବେ ଦେଶରେ ଜମି କିଣାବିକା ନିୟମରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ସମ୍ପତ୍ତି ପଞ୍ଜୀକରଣ ନିମନ୍ତେ ଆଉ ବାହାରକୁ ନଯାଇ ଘରେ ବସି କରିହେବ।

କେନ୍ଦ୍ର ସରକାର ଏକ ନୂଆ ବିଲ୍ ଅଧୀନରେ ଏକ ନୂଆ ଆଇନ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଅନଲାଇନ୍ ସମ୍ପତ୍ତି ପଞ୍ଜୀକରଣ କରିବାର ସୁବିଧା ଆରମ୍ଭ କରିବା ପାଇଁ ପ୍ରସ୍ତାବ ରହିଛି। ଯାହାଦ୍ୱାରା 1908ରେ ତିଆରି ହୋଇଥିବା 117 ବର୍ଷର ପୁରୁଣା ପଞ୍ଜୀକରଣ ଆଇନର ଶେଷ ହୋଇପାରିବ।

‘ପଞ୍ଜୀକରଣ ବିଲ୍’ର ଟାଇଟେଲ ସହିତ, ଏହି ଡ୍ରାଫ୍ଟକୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ ଭୂମି ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଉଦ୍ଦେଶ୍ୟ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଆଧୁନିକ ଉପାୟରେ କରିବା। ଏହାଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ସଠିକ ଭାବରେ ହେବା ସହିତ ଲୋକମାନଙ୍କର ବି ସୁବିଧା ହେବ। ଦେଶର ଲୋକମାନେ ଜୁନ୍ 25 ପର୍ଯ୍ୟନ୍ତ ଏହା ଉପରେ ନିଜର ମତାମତ ଦେଇପାରିବେ।

ସମ୍ପତ୍ତି ପଞ୍ଜୀକରଣକୁ ସହଜ କରିବା ପାଇଁ ସରକାର ଚାଁହୁଛନ୍ତି ଯେ, ଏହା ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ଡିଜିଟାଲ୍ ଭାବରେ ସୁରକ୍ଷିତ ରହିବା ଉଚିତ ଏବଂ ଆଗାମୀ ସମୟରେ ପଞ୍ଜୀକରଣ ପାଇଁ ଯେପରି କାଗଜପତ୍ରର ଆବଶ୍ୟକତା ନପଡେ଼। ଏହାଦ୍ୱାରା ଠକେଇ, ଦୁର୍ନୀତି, ଜାଲ ପଞ୍ଜୀକରଣ ରୋକାଯାଇପାରିବ।

ଏହି ନୂତନ ବିଲରେ, ବିକ୍ରୟ ଚୁକ୍ତିନାମା, ପାୱାର ଅଫ୍ ଆଟର୍ଣ୍ଣି, ବିକ୍ରୟ ପ୍ରମାଣପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଦଲିଲର ପଞ୍ଜୀକରଣକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି, ଯାହା ମଧ୍ୟରୁ ଅନେକଙ୍କୁ ବହୁ ପୂର୍ବରୁ ବାଦ ଦିଆଯାଇଥିଲା।

ଏହା ବ୍ୟତୀତ, ବର୍ତ୍ତମାନ ପ୍ରତ୍ୟେକ ବିକ୍ରେତା ଏବଂ କ୍ରେତାଙ୍କୁ ଆଧାର ସମ୍ବନ୍ଧିତ ଯାଞ୍ଚ କରିବାକୁ ପଡିବ। ଯେଉଁମାନେ ସେମାନଙ୍କର ଆଧାର ସେୟାର କରିବାକୁ ଚାଁହୁ ନାହାଁନ୍ତି ସେମାନେ ଯାଞ୍ଚ ପାଇଁ ଅନ୍ୟ ଉପାୟକୁ ବାଛିପାରିବେ।

ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏହାକୁ ଅନ୍ୟ ରେକର୍ଡ ରକ୍ଷଣକାରୀ ଏଜେନ୍ସି ସହିତ ସଂଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ଵାରା ସୂଚନା ଆଦାନପ୍ରଦାନ ସହଜରେ ହୋଇପାରିବ। ଯଦିଓ ଅନେକ ରାଜ୍ୟରେ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇସାରିଛି, କିନ୍ତୁ ଏବେ ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଏକ ନୂଆ ଆଧୁନିକ ଆଇନ ଅଣାଯାଉଛି।