ପହଲଗାମ ଅଟାକର ୩ ମାଷ୍ଟର ମାଇଣ୍ଡ ଆତଙ୍କୀ ଖତମ: ମହାଦେବ ପାହାଡ଼ରେ ଚାଲିଛି ଅପରେଶନ୍ ‘ମହାଦେବ’
ଅପରେଶନ୍ ସିନ୍ଦୁର ପରେ ଏବେ ଚାଲିଛି ଅପରେଶନ୍ ‘ମହାଦେବ’ । ସେନା ପକ୍ଷରୁ ଚାଲିଛି କସରତ ।
ଶ୍ରୀନଗର: ଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ସୋମବାର (୨୮ ଜୁଲାଇ) ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରାଯାଇଛି, ଯାହାକୁ ‘ଅପରେସନ୍ ମହାଦେବ’ ନାମ ଦିଆଯାଇଛି ।
ସେନାର ‘ଚିନାର କର୍ପସ’ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ଏହାର ସୂଚନା ସେୟାର କରିଥିବାବେଳେ ପହଲଗାମ ଆକ୍ରମଣ ପରେ, ଭାରତୀୟ ସେନା ଏପର୍ଯ୍ୟନ୍ତ ଶତାଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି।
ସେନା କହିଛି ଯେ ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କା ଥିଲା। ଏ ସମ୍ପର୍କରେ, ସେନା ‘ଅପରେସନ୍ ମହାଦେବ’ ଆରମ୍ଭ କରିଥିଲା।
ନିହତ ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ସହିତ ଜଡିତ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ ସରକାରୀ ସୂଚନା ମିଳିନାହିଁ। ତଥାପି, ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆତଙ୍କବାଦୀମାନେ ଲସ୍କର ସହିତ ଜଡିତ ହୋଇପାରନ୍ତି।
ଅସ୍ତ୍ରଶସ୍ତ୍ର ଜବତ
ସେନା ମହାଦେବ ପାହାଡ଼ ଉପରେ ଏକ ଶିବିର ସ୍ଥାପନ କରିଛି, ଯାହା ମାଧ୍ୟମରେ ଏହି ଅଞ୍ଚଳର କାର୍ଯ୍ୟକଳାପ ଉପରେ ନଜର ରଖାଯାଏ। ବହୁ ଦିନ ପୂର୍ବରୁ ଏଠାରେ ଆତଙ୍କବାଦୀ ମୁସାର ଗତିବିଧି ଦେଖାଯାଇଥିଲା।
ଏହି କାରଣରୁ ସର୍ଚ୍ଚ ଅପରେସନ୍ ଚାଲିଥିଲା। ସେନା ସହିତ ଜମ୍ମୁ କାଶ୍ମୀର ପୋଲିସ ମଧ୍ୟ ଏହି ଅପରେସନରେ ସାମିଲ ରହିଛି । ସେନା ଦ୍ୱାରା ନିହତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ତାହା ଏକ ପାହାଡ଼ । ଆତଙ୍କବାଦୀମାନେ ମହାଦେବ ପାହାଡ଼ ଅଞ୍ଚଳରେ ତମ୍ବୁ ଟାଣି ରହୁଥିଲେ। ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପେରସନ ଜାରି ରହିଛି ।