ଷ୍ଟାନ୍ ସ୍ୱାମୀ ମୃତ୍ୟୁ ମାମଲା: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହେପାଜତରେ ସମାଜସେବୀ ତଥା ଫାଦର ଷ୍ଟାନ ସ୍ୱାମୀଙ୍କ ଦେହାନ୍ତ ପରେ ଅଡୁଆରେ ପଡିଛନ୍ତି ସରକାର । ଫାଦର ଷ୍ଟାନଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି ବିରୋଧୀ ଦଳର ନେତା । ସରକାର ଜଣେ ସମାଜସେବୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବା ସହିତ ବିନା ଦୋଷରେ ଜେଲରେ ଅଟକ ରଖିଥିଲେ । ଏପରିକି ୮୬ ବର୍ଷ ବୟସରେ ମଧ୍ୟ ଷ୍ଟାନ ସ୍ୱାମୀଙ୍କୁ ଶିକୁଳିରେ ବାନ୍ଧି ରଖାଯାଇଥିଲା । ଏପରି ଅମାନବୀୟ କାର୍ଯ୍ୟ ପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିବା ସହିତ ଏହି ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରାଯାଇଛି ।

୧୦ ଜଣ ବିରୋଧୀ ଦଳ ନେତା ଏହି ଚିଠିରେ ସ୍ୱାକ୍ଷର କରିଛନ୍ତି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପୱାର, ଏଚଡି ଦେବେଗୌଡା, ମମତା ବାନାର୍ଜୀ, ଏମ କେ ଷ୍ଟାଲିନ, ହେମନ୍ତ ସୋରେନ, ସୀତାରାମ ୟେଚୁରୀ ଏବଂ ଡି ରାଜା ଏହି ଚିଠିରେ ସ୍ୱାକ୍ଷର କରିଛନ୍ତି । ବିନା ଦୋଷରେ ଷ୍ଟାନଙ୍କ ସହିତ ଯେଉଁଭଳି ଭାବେ ବ୍ୟବହାର କରାଗଲା ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭୀମା-କୋରେଗାଓଁ ଦଙ୍ଗା ଉସୁକେଇବା ମାମଲାରେ ଷ୍ଟାନଙ୍କୁ ଗିରଫ କରିଥିଲା ଏନଆଇଏ । ରାଜନୈତିକ ପ୍ରତିଶୋଧ ପରୟଣତାକୁ ଚରିତାର୍ଥ କରିବା ପାଇଁ ସରକାରୀ କଳର ଅପବ୍ୟବହାର କରାଯିବା ସହିତ ଷ୍ଟାନଙ୍କ ବିରୋଧରେ ୟୁଏପିଏ ଏବଂ ଦେଶଦ୍ରୋହ ମାମଲା ରୁଜୁ କରି ଜେଲରେ ଅଟକ ରଖାଯାଇଥିଲା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।