PGT ପଦକୁ ନେଇ ପୁଣି ଜାରି ହେଲା କରିଜେଣ୍ଡମ୍: ଇଂରାଜୀ MAକୁ ନେଇ OPSCର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୧୦୬ଟି ଅପଗ୍ରେଡେଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ । ନିକଟରେ ଆବେଦନର ଅନ୍ତିମ ତାରିଖ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତି ବୃଦ୍ଧି ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରେ ପିଜିଟି ପଦକୁ ନେଇ ପୁଣି ଆସଛି ଏକ କରିଜେଣ୍ଡମ୍ । ଇଂରାଜୀ ଓ ଫରେନ୍ ଭାଷା ବିଶ୍ୱବିଦ୍ୟାଳୟ (ଇଏଫଏଲୟୁ) ହାଇଦ୍ରାବାଦରୁ ଏମ.ଏ ଲିଙ୍ଗୁଇଷ୍ଟିକସ ଇଂରାଜୀ ଏମ.ଏ ସହିତ ସମାନ ହେବ । ଅନ୍ୟ ସମସ୍ତ ନିୟମ ଓ ସର୍ତ୍ତାବଳୀ ପୂର୍ବ ବିଜ୍ଞପ୍ତି ମୁତାବକ ଅପରିବର୍ତ୍ତିତ ରହିବ ବୋଲି ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୨ ତାରିଖରେ ଓପିଏସସି ପକ୍ଷରୁ ଏକ କରିଜେଣ୍ଡମ୍ ଜାରି କରାଯାଇ କିଛି ସୂଚନା ଜାରି କରାଯାଇଥିଲା । ପବ୍ଲିକ ଆଡମିନିଷ୍ଟ୍ରେସନରେ ଏମ.ଏ ରାଜନୀତି ବିଜ୍ଞାନର ଏମ.ଏ ସହିତ ସମାନ ହେବ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ସଂସ୍କୃତରେ ଏମ.ଏମ ସହିତ ସମାନ ହେବ । ସଂସ୍କୃତ ପାଇଁ ନୂଆ ସିଲାବସ୍ ଲାଗୁ ହେବ । ସମାନ ବିଷୟକୁ ନେଇ ସ୍ପଷ୍ଟ କରିବା ନେଇ ବିଭିନ୍ନ ଅନୁରୋଧ କରାଯିବା ପରେ ଓପିଏସସି ତରଫରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା । ମୋଟ ୧୩୭୫ଟି ପଦ ଖାଲି ଥିବା ବେଳେ ପ୍ରାର୍ଥୀଙ୍କୁ ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଆନଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂରାଜୀ, ଅର୍ଥନୀତି, ଭୂଗୋଳ, ଭୂବିଜ୍ଞାନ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଲଜିକ / ଫିଲୋସଫି, ଓଡ଼ିଆ, ଗଣିତ, ଫିଜିକ୍ସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସଂସ୍କୃତି, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ବିଜ୍ଞାନ, ଉର୍ଦ୍ଦୁ ଆଦି ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।