fbpx

ଗ୍ରାମାଞ୍ଚଳରେ ବଢ଼ୁଛି ମୁଖ ଗହ୍ୱର କର୍କଟ! ଦାନ୍ତ ଡାକ୍ତରଙ୍କ ଘୋର ଅଭାବ, ଗରିବଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଦାନ୍ତ ଡାକ୍ତରଙ୍କ ଘୋର ଅଭାବ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟ ମୁତାବକ, ପ୍ରତି ୭୫୦୦ ଜନସଂଖ୍ୟାରେ ଜଣେ ଦାନ୍ତ ଡାକ୍ତର ରହିବା ଆବଶ୍ୟକ । ମାତ୍ର ଓଡ଼ିଶାରେ ୧ ଲକ୍ଷ ୧୬ ହଜାର ଜନସଂଖ୍ୟାରେ ଜଣେ ଦାନ୍ତ ଡାକ୍ତର ରହିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ ୩୯୦ ଜଣ ଦାନ୍ତ ଡାକ୍ତର ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାର ଗତ ବର୍ଷ ନଭେମ୍ବର ମାସରେ ୮୨ ଜଣ ଦାନ୍ତ ଡାକ୍ତରଙ୍କ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଉକ୍ତ ନିଯୁକ୍ତି ନେଇ କିଛି ଅପଡେଟ୍ ଆସିନାହିଁ । ରାଜ୍ୟରେ ଏବେ ୩୨୦୦ ଡାକ୍ତରୀ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଛନ୍ତି । ମାତ୍ର ସେମାନଙ୍କୁ ନିଯୁକ୍ତି ମିଳି ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରତିବର୍ଷ ଉଭୟ ସରକାରୀ ଓ ବେସରକାରୀ କଲେଜର ୩୫୦ ଦାନ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଥିଲେ ହେଁ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଗ୍ରାମାଞ୍ଚଳର ୫୦ରୁ ୬୦ ପ୍ରତିଶତ ଲୋକ କର୍କଟର ତୃତୀୟ ଷ୍ଟେଜରେ ଚିହ୍ନଟ ହେଉଛନ୍ତି । ପ୍ରାଥମିକ ଅବସ୍ଥାରୁ ରୋଗୀମାନେ ଦାନ୍ତ ଚିକିତ୍ସାରୁ ବଞ୍ଚିତ ହେଉଥିବାରୁ ମୁଖ ଗହ୍ୱର କର୍କଟ ବୃଦ୍ଧି ପାଉଥିବା ଜଣାପଡ଼ିଛି । କର୍କଟ ରୋଗୀଙ୍କ ମଧ୍ୟରେ କେବଳ ୯୦ ପ୍ରତିଶତ ମୁଖ ଗହ୍ୱର ରୋଗରେ ପୀଡ଼ିତ ବୋଲି ହୁ ପକ୍ଷରୁ କୁହାଯାଇଛି ।

ତେଣୁ ପ୍ରତିବର୍ଷ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ପରୀକ୍ଷା କରାଯାଇ ଦାନ୍ତ ଡାକ୍ତରଙ୍କୁ ସମସ୍ତ ପ୍ରାଥମିକ ଚିକିତ୍ସାଳୟରେ ନିଯୁକ୍ତି ଦେବାକୁ ଦାବି ହେଉଛି । ଏହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଓ ଗରିବ ରୋଗୀ ପ୍ରାଥମିକ ଅବସ୍ଥାରେ ଠିକ୍ ଭାବେ ଚିକିତ୍ସା ପାଇପାରିବେ । ଫଳରେ କର୍କଟ ରୋଗକୁ ପ୍ରାଥମିକ ଷ୍ଟେଜରୁ ଚିହ୍ନଟ କରାଯିବା ସମ୍ଭବ ହୋଇପାରନ୍ତା ବୋଲି କୁହାଯାଇଛି ।

Get real time updates directly on you device, subscribe now.