ଆଦ୍ୟ ଆଷାଢ଼ର ମେଘମେଦୁର ଆକାଶକୁ ସକ୍ରୃଷ୍ଣ ନୟନରେ ପ୍ରତୀକ୍ଷା କରି ରହିଥାଏ ଉକ୍ରଳ ଭୂଇଁ । ଏହି ଆଷାଢ଼ ମାସ ହିଁ ତା ପାଇଁ ଏକମାତ୍ର ଗର୍ବ ଓ ଗୌରବର ସମୟ । ଏହି ସମୟରେ ଉକ୍ରଳର ପ୍ରାଣକେନ୍ଦ୍ର ଓ ତା’ର ଧର୍ମପ୍ରାଣ ସନ୍ତାନମାନଙ୍କର ପରମ ଆରାଧ୍ୟ ଦେବତା ଜଗନ୍ନାଥ ରଥୋପବିଷ୍ଟ ହୋଇ ତା’ର ପରମ ପବିତ୍ର ରଥଯାତ୍ରା ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟା ତିଥିରେ ସୁସମ୍ପନ୍ନ ହୁଏ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପବିତ୍ର ପୁରୀର ବଡ଼ଦାଣ୍ଡ ଉପରେ ମହାପ୍ରଭୁଙ୍କ ନନ୍ଦିଘୋଷ ଗଡ଼ିଚାଲେ ଘର୍ଘର ଘୋଷରେ । ଆଗରେ ଗଡ଼ିଚାଲେ ବଡ଼ଭାଇ ବଳଦେବଙ୍କ ତାଳଧ୍ୱଜ ଓ ଭଗ୍ନୀ ସୁଭଦ୍ରାଙ୍କ ଦେବଦଳନ । ସମବେତ ଭକ୍ତ ଓ ଦର୍ଶକଙ୍କ ହୃଦୟ ଆତ୍ମତୃପ୍ତିରେ ପରିପୂର୍ଣ୍ଣ ହୋଇଯାଏ ।
ରଥଯାତ୍ରାର ଉତ୍ପତ୍ତି ସମ୍ବନ୍ଧରେ ପୌରାଣିକ ମତଦାନ ଅନୁଯାୟୀ ଏହା ସୟଂ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀଜଗନ୍ନାଥ ଶବରରାଜ ବିଶ୍ୱାବସୁଙ୍କଦ୍ୱାରା ନୀଳଗିରି କନ୍ଦରରେ ରହି ନୀଳମାଧବ ନାମରେ ପୂଜା ପାଉଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହାୟତାରେ କୌଶଳକ୍ରମେ ଜଗନ୍ନାଥଙ୍କୁ ଚୋରାଇଆଣି ପୁରୀର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ । ଶବରାଜବିଶ୍ୱାବସୁ ତାଙ୍କ ଆରାଧ୍ୟ ନୀଳମାଧବଙ୍କ ଦର୍ଶନ ବିନା ଜୀବନଧାରଣ କରିପାରିବେ ନାହିଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଗୁହାରି କଲେ, ମାତ୍ର ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ତାଙ୍କର ଜଗନ୍ନାଥରୂପୀ ନୀଳମାଧବ ଏବେ ଅଦୃଶ୍ୟ ।
ଏହା ବ୍ୟତୀତ ଶବର ନିମ୍ନଜାତି ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରରେ ତାଙ୍କ ଦର୍ଶନ ସମ୍ଭବ ନୁହେଁ । ଭକ୍ତ ବିଶ୍ୱାବସୁଙ୍କ ହୃଦୟର ଆବେଦନ ଶ୍ରୀଜଗନ୍ନାଥ ଗ୍ରହଣ କରି ଧର୍ମପ୍ରାଣ ରାଣୀ ଗୁଣ୍ଡିଚାଙ୍କୁ ସପ୍ନାଦେଶରେ ରଥଯାତ୍ରା ଉତ୍ସବ ବିଧାନ ନିମନ୍ତେ ନିର୍ଦ୍ଦେଶ ଦେଲେ । ଯାହାଫଳରେ ବିଶ୍ୱାବସୁ ସମେତ ଜାତି ବର୍ଣ୍ଣ ନିର୍ବିଶେଷରେ ଆଚଣ୍ଡାଳବ୍ରାହ୍ମଣ ସମସ୍ତେ ତାଙ୍କର ଦର୍ଶନର ସୁବିଧା ଲାଭ କରି ଆତ୍ମସନ୍ତୋଷ ଲାଭ କରିପାରିବେ । ରଥାରୂଢ଼ ହୋଇ ସେ ସମସ୍ତଙ୍କ ପାପ ନାଶନ ନିମନ୍ତେ ବଡ଼ଦାଣ୍ଡକୁ ବାହାରି ଆସିବେ ଏକ ପବିତ୍ର ରଥୋତ୍ସବରେ । ସେହିଦିନଠାରୁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଆଷାଢ଼ ମାସର ଶୁକ୍ଳଦ୍ୱିତୀୟା ତିଥିରେ ସୁସମ୍ପନ୍ନ ହୋଇଆସୁଛି ।
ଶ୍ରୀଜଗନ୍ନାଥ ହେଉଛନ୍ତି କେବଳ ଉକ୍ରଳର ନୁହେଁ, ସମଗ୍ର ଭାରତୀୟ ସଂସ୍କୃତିର ପ୍ରାଣପିଣ୍ଡ । ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ । ରଥଯାତ୍ରା ମାନବତାର ଜୟଯାତ୍ରା । ଏହି ରଥଯାତ୍ରାର ଶୁଭାରମ୍ଭ ପ୍ରତିବର୍ଷ ପରମ୍ପରାକ୍ରମେ ଚୈତ୍ର ମାସର ଅକ୍ଷୟତୃତୀୟା ତିଥିରେ ଯଜ୍ଞାଦି ବିଧିବିଧାନ ପୂର୍ବକ ସମ୍ପନ୍ନ ହୋଇଥାଏ । ତିନିଠାକୁରଙ୍କ ରଥ ତିଆରି ଏହିଦିନ ଆରମ୍ଭ ହୁଏ । ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’ ଓ ସାରଥି ‘ମାଳତି’, ସେହିପରି ପ୍ରଭୁ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ଓ ସାରଥି ‘ପ୍ରଦ୍ୟୁମ୍ନ’ ଓ ଦେବୀ ସୁଭଦ୍ରାଙ୍କ ରଖର ନାମ ‘ଦେବଦଳନ’ ଓ ସାରଥି ନାମ ‘ଅର୍ଜୁନ’ । ରଥଯାତ୍ରା ଦିନ ତିନିଠାକୁର ରଥକୁ ପହଣ୍ଡି ବିଜେ କରିସାରିବା ପରେ ପରମ୍ପରାକ୍ରମେ ପୁରୀର ଗଜପତି ମହାରାଜା ଠାକୁରଙ୍କ ପ୍ରତମ ସେବକ ରୂପେ ରଥର ସୁନାଖଡ଼ିକାଦ୍ୱାରା ଛେରାପହଁରା କାର୍ଯ୍ୟ କରିଥାନ୍ତି । ତ’ପରେ ତିନିଠାକୁରଙ୍କ ରଥଟଣା କାର୍ଯ୍ୟ ସମ୍ପନ୍ନ ହୁଏ ପୁରୀ ବଡ଼ଦାଣ୍ଡରେ ।
ଜନସମୁଦ୍ର ଭିତରେ ରଥାରୂଢ଼ ତିନି ଠାକରଙକ୍ ରଥଯାତ୍ରା ଅବଲୋକନ ଯେ ନ କରିଛି, ସେ କେବେହେଲେ ଏହି ରଥଯାତ୍ରାର ମାହାତ୍ମ୍ୟ ଉପଲବ୍ଧି କରି ପାରିବନି । ରଥଯାତ୍ରାକୁ ଧର୍ମଯାତ୍ରା, ନନ୍ଦିଘୋଷଯାତ୍ରା, ପତିତପାବନ ଯାତ୍ରା, ଜୟଯାତ୍ରା, ଇତ୍ୟାଦି ନାମରେ ନାମିତ କରାଯାଇଛି । ସମଗ୍ର ଭାରତବର୍ଷରେ ଏକତ୍ୱ, ମୈତ୍ରୀ, ସଦ୍ଭାବ ସୃଷ୍ଟିକରି ସମଗ୍ର ବିଶ୍ୱ ଜୀବନରେ ଶାନ୍ତି, ପ୍ରତି ତଥା ହୃଦୟତାର ସ୍ପର୍ଶ ଆଣିବା ଏହି ରଥଯାତ୍ରାର ଆଭିମୁଖ୍ୟ ।