fbpx

ଶନିବାରଠୁ ବିଧାନସଭା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁରକ୍ଷା ତଦାରଖ କଲେ ଗୁଇନ୍ଦା ନିର୍ଦ୍ଦେଶକ, ସିିପି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବିଧାନସଭା ଅଧିବେଶନ କାଳରେ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ ରହିଥିବାବେଳେ ପ୍ରତିଦିନ ଗୃହକାର୍ଯ୍ୟ ୬ ଘଣ୍ଟା ଲେଖାଏଁ ଚାଲିବ । ଏନେଇ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବୁଧବାର ଠାରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଥିବ ସେମାନେ ବିଧାନସଭା ଭିତରକୁ ଆସିବା ପାଇଁ ଅନୁମତି ପାଇବେ । ବିଧାନସଭା ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ଗୁଇନ୍ଦା ନିର୍ଦ୍ଦେଶକ ଏବଂ ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ବିଧାନସଭା ଅଧିବେଶନକୁ ନଜରରେ ରଖି ରାଜଧାନୀରେ ୬ ଜଣ ଅତିରିକ୍ତ ଡିସିିଙ୍କ ସହ ୧୧ ଜଣ ଡିଏସ୍‌ପିଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ୧୩ ଜଣ ଇନ୍ସିପେକ୍ଟର ଏବଂ ୬୨ ଜଣ ବରିଷ୍ଠ ଅଧିକାରୀଙ୍କ ସହ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ଡିସିି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ଦାୟିତ୍ୱରେ ରହିବେ । ବିଧାନସଭା ଭିତରେ ସୁରକ୍ଷା ଦାୟିତ୍ୱରେ ରହିବ ଗୁଇନ୍ଦା ବିଭାଗ । ବିଧାନସଭା ବାହାରେ ଓ ଗାନ୍ଧି ମାର୍ଗରେ କଡ଼ା ପହରା ଦେବ କମିଶନରେଟ୍‌ ପୋଲିସ । ଏଥିସହ ଡଗ୍‌ସ୍କ୍ୱାର୍ଡ ଓ ବମସ୍କ୍ୱାର୍ଡକୁ ମଧ୍ୟ ମୁତୟନ କରାଯାଇଛି । ଗାନ୍ଧି ମାର୍ଗର ସମସ୍ତ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରଖାଯାଇଛି । ଗାନ୍ଧିମାର୍ଗର ରବିନ୍ଦ୍ର ମଣ୍ଡପ ଓ ଧାରଣାସ୍ଥଳରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Get real time updates directly on you device, subscribe now.