OUAT ବିକଶିତ କଲା ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ ମାଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମାଣ୍ଡିଆର ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’ ବିକାଶିତ କରିଛି । ଏହି ନୂଆ କିସମ ଅପପୁଷ୍ଟିକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଏହି ନୂଆ କିସମ ୧ ହେକ୍ଟର ଜମିରେ ପାଖାପାଖି ୨୩.୫ କୁଇଣ୍ଟାଲ ମାଣ୍ଟିଆ ଉତ୍ପାଦନ ହୋଇ ପାରିବ । ଉଭୟ ଖରିଫ ଓ ରବି ଋତୁରେ ଏହା ଅମଳ ହୋଇ ପାରିବ । ଏହା ଅଧିକ ପୁଷ୍ଟିଯୁକ୍ତ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କଲେ ବିଭିନ୍ନ ପ୍ରକାରର ଉପକାର ମିଳିବ ବୋଲି ଗବେଷକ କହିଛନ୍ତି । ମାଣ୍ଡିଆର ଅନ୍ୟ କିସମରେ ପ୍ରତି କେଜିରେ ୩୫ ମିଲିଗ୍ରାମ ଆଇରନ ଓ ୧୮ ମିଲିଗ୍ରାମ ଜିଙ୍କ ରହିଥାଏ । ମାତ୍ର ‘ଶ୍ରୀରତ୍ନ’ ମାଣ୍ଡିଆର ପ୍ରତି କେଜିରେ ୫୦.୨ ମିଲିଗ୍ରାମ ଆଇରନ ଓ ୨୧.୬ ମିଲିଗ୍ରାମ ଜିଙ୍କ ରହିଛି ।

‘ଶ୍ରୀରତ୍ନ’ କିସମ ମାଣ୍ଡିଆରେ ଆଇରନ ରହିଥିବାରୁ ତାହା ଶରୀରର ହାଲିଆପଣ ଦୂର କରିବ । ଏଥିସହିତ ଦେହକୁ ଅଧିକ ଶକ୍ତି ମିଳିବା ସହ ଲୋହିତ ରକ୍ତ କଣିକା ତିଆରି କରିବାରେ ସହାୟକ ହେବ । ଏଥିରେ ଜିଙ୍କ, ଆଇରନ ବ୍ୟତୀତ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ତାହା ହାଡ଼କୁ ଶକ୍ତ କରିବା ସହିତ ହାର୍ଟ, ମାଂସପେଶୀ, ଶିରାପ୍ରଶିରାର ପରିଚାଳନାରେ ସହାୟକ ହେବ । ରକ୍ତରେ କୋଲେଷ୍ଟରଲର ମାତ୍ରାକୁ ହ୍ରାସ କରିବା ସହିତ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିବ । ମାତ୍ର ୧୧୭ ଦିନରେ ଏହାକୁ ଅମଳ କରାଯାଇ ପାରୁଛି । ସର୍ବଭାରତୀୟ ସମନ୍ୱିତ କ୍ଷୁଦ୍ରଶସ୍ୟ ଜାତୀୟ ଫସଲ ଗବେଷଣା ପ୍ରକଳ୍ପରେ ଏନେଇ ଅଧିକ ରିସର୍ଚ୍ଚ କରାଯାଉଛି । ଓୟୁଏଟି ଅଧିନରେ ଥିବା ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ରକୁ ‘ଶ୍ରୀରତ୍ନ’ ମାଣ୍ଡିଆ କିସମ ଚାଷ ପାଇଁ ଦିଆଯାଇଛି ।