ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ନେଇ ବଢୁଛି ଲୋକଙ୍କ ଆଗ୍ରହ, ଗୃହରେ ଏହି ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ପାଇଁ ୯୩ ହଜାରରୁ ଅଧିକ ପଞ୍ଜୀକରଣ ।

ଭୁବନେଶ୍ବର: ଗୃହରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।  ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା’ରେ କେତେ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ସୁବିଧା ପାଇଛନ୍ତି ଓ କେତେଜଣ ଏଥିପାଇଁ ପଞ୍ଜୀକରଣ କରିଛନ୍ତି ? ତେବେ ଏହାର ଉତ୍ତର ରଖିଥିଲେ କନକ ବର୍ଦ୍ଧନ ସିଂହ ଦେଓ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ ବଢୁଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ ପଞ୍ଜୀକରଣ କରିସାରିଛନ୍ତି । ସେମାନଙ୍କ ଭିତରୁ ୨୭୪୦ ଜଣ ହିତାଧିକାରୀ ଏହାର ସୁବିଧା ମଧ୍ୟ ପାଇଛନ୍ତି ।

ଭଦ୍ରକରେ ସର୍ବାଧିକ 17 ହଜାର 167, ଗଞ୍ଜାମରେ 14 ହଜାର 189 ଜଣ ପଞ୍ଜୀକରଣ କରିଛନ୍ତି । ତେବେ ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି  ।

ତେବେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।