fbpx

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଆୟଠାରୁ ୫୦୦% ସଂପତ୍ତି ଠାବ

ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଛି। ପ୍ରଶାନ୍ତଙ୍କ ଗିରଫ ନେଇ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନଙ୍କ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ପ୍ରଶାନ୍ତ ରାଉତଙ୍କଠାରୁ ୩ କୋଟିରୁ ଅଧିକ ନଗଦ ଟଙ୍କା, ୫ଟି ପ୍ଲଟ, ୨ଟି ଦାମୀ କାର୍, ଭୁବନେଶ୍ବରରେ ଘର ଠାବ ହୋଇଛି। ଏହା ସହିତ ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି, ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଛି।

ସୂଚନାଯୋଗ୍ୟ ଶୁକ୍ରବାର ସକାଳେ ଶ୍ରୀ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ, ଭୁବନେଶ୍ୱର ଘର, ଭଦ୍ରକ ପୈତୃକ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ନବରଙ୍ଗପୁରର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ତାଙ୍କ ଭୁବନେଶ୍ୱର ବାସଭବନ ଓ ନବରଙ୍ଗପୁର ସରକାରୀ ଘରୁ ଏହି ପରିମାଣର ଟଙ୍କା ଜବତ କରାଯାଇଛି । କାନନବିହାର ସ୍ଥିତ ବାସଭବନ ନିକଟରେ ରହୁଥିବା ପଡ଼ୋଶୀଙ୍କ ଛାତ ଉପରୁ ମିଳିଥିଲା ୬ଟି ପେଟି । ଏଥିରେ ୫୦୦ ଟଙ୍କିଆ ନୋଟ୍ ଭର୍ତ୍ତିହୋଇ ରହିଥିଲା । ଏହି ଟଙ୍କା ଉପଜିଲ୍ଲାପାଳ ଶ୍ରୀ ରାଉତଙ୍କର ବୋଲି ଜଣାପଡ଼ିଛି । ଚଢାଉ ସମୟରେ ଶ୍ରୀ ରାଉତ ଘରେ ନଥିଲେ ମଧ୍ୟ ପଡ଼ୋଶୀଙ୍କ ଛାତକୁ ଏହି ୬ ପ୍ୟାକେଟ୍ ଟଙ୍କା ଫିଙ୍ଗିଦେବା ପାଇଁ କହିଥିଲେ ।

ଅନ୍ୟପକ୍ଷରେ ଛାତ ଉପରେ ପଡ଼ିଥିବା ଟଙ୍କା ସଂପର୍କରେ ତାଙ୍କ ପରିବାରବର୍ଗ ଜାଣି ନଥିବା କହିଛନ୍ତି । ଛାତ ଉପରୁ ୨ କୋଟି ୨୫ ଲକ୍ଷ ଟଙ୍କାର ୫୦୦ଟଙ୍କିଆ ବଣ୍ଡଲ ଜବତ କରାଯାଇଥିବାବେଳେ ତାଙ୍କ ନବରଙ୍ଗପୁର ସରକାରୀ ବାସଭବନରୁ ୭୭ ଲକ୍ଷ ଟଙ୍କା ଠାବ ହୋଇଛି । ସେହିପରି ତାଙ୍କ ଘର ଆଲମୀରାରୁ ୧୨ଲକ୍ଷ ୪୮ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଏହାବ୍ୟତୀତ ଭିଜିଲାନ୍ସ ଟିମ୍ ତାଙ୍କ ଘରୁ ବିପୁଳ ପରିମାଣର ସୁନା ଅଳଙ୍କାର,
ସୁନା ବିସ୍କୁଟ ଓ ବହୁ ଏଟିଏମ୍ କାର୍ଡ ଜବତ କରିଛି । ଶ୍ରୀ ରାଉତଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ସୂଚନାଯୋଗ୍ୟ ଯେ ଶ୍ରୀ ରାଉତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବାବେଳେ ମଧ୍ୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏବେ ପୁଣି ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ସମୟରେ ପୁଣିଥରେ ପୁଣିଥରେ ଭିଜିଲାନ୍ସ ଚଢାଉ ଜାଲରେ ପଡିଛନ୍ତି।

 

Get real time updates directly on you device, subscribe now.