fbpx

IT-GST ରେଡ୍ ମଧ୍ୟରେ ଆଜିଠୁ ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ପ୍ରଚାର, ବିଜେପି ମହଲରେ ଉତ୍ସାହ

-ପଦ୍ମପୁର ପ୍ରଚାରରେ କେନ୍ଦ୍ର ତଡକା

-ଗୋଟେ ପରେ ଗୋଟେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର

-ରାଜନୈତିକ ଅଙ୍କ କଷଣ ସହ ସରକାର ଉପରେ ହେଉଛି ବର୍ଷଣ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନକୁ ନେଇ ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ଆଇଟି ଏବଂ ଜିଏସଟି ରେଡକୁ ନେଇ ସରଗରମ ରାଜନୀତି। ଏହି ରେଡ୍ ପ୍ରତିବାଦରେ ମଙ୍ଗଳବାର ପଦ୍ମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବଣିକ ସଂଘ। ତେଣୁ ପଦ୍ମପୁରରେ ଆଜି ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିଛି। ଏହା ମଧ୍ୟରେ ଆଜିଠୁ ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ଆରମ୍ଭ ହେବାକୁ ଯାଉଛି। ସେ ଚାରି ଦିନ ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶୋଭାଯାତ୍ରା ଓ ଜନସଭାରେ ଯୋଗଦେବେ। ଆଶା କରାଯାଉଛି ଏହି ସମୟରେ ସେ ବିଜେଡି ସରକାର ଉପରେ ଖୁବ୍ ବର୍ଷିବେ। ବିଶେଷ କରି ଗତକାଲି ତିନି ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍ ପରେ ରାଜ୍ୟ ଜିଏସଟି ବିଭାଗ ଯେଉଁଭଳି ଭାବେ ପଦ୍ମପୁରରେ ଅନେକ ଦୋକାନ ଉପରେ ରେଡ୍ କରିଛି ତାକୁ ନେଇ ବିଜେଡି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୨୯ ତାରିଖରୁ ପଦ୍ମପୁର ଉପନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବେ। ନଭେମ୍ବର ୨୯, ୩୦ ତାରିଖ ଏବଂ ଡ଼ିସେମ୍ବର ୧ ଓ ୩ ତାରିଖରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ବିଭିନ୍ନ ଶୋଭାଯାତ୍ରାରେ ଯୋଗଦେବା ସହ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଉପନିର୍ବାଚନ ପାଇଁ ପ୍ରଚାର କରିବେ । ପାଇକମାଲ, ମାଣ୍ଡୋସିଲ, ଝାରମୁଣ୍ଡା, ଭେଙ୍ଗରାଜପୁର, ମାଲଦା, ଖଇରା, ବିଜାଡୀହିରେ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ଟେମେରି, ବକରମୁଣ୍ଡା, ବାଧିକଟା, ଲାଖମରା, ବୁଢାମାଲ, ଦହିତା, ବରିକେଲ, ପୁରେଣା, ଚାରପାଲି, ବରିହାପାଲି, ଜାମଲା,ମେଲଛାମୁଣ୍ଡାରେ ଶୋଭାଯାତ୍ରା ଓ ଜନସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

ଏହା ପୂର୍ବରୁ ରବିବାର କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂହ ତୋମାର ପଦ୍ମପୁରର ବିଭିନ୍ନ ଅଞ୍ଚଳରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମାରାଥନ ପ୍ରଚାର କରିଥିଲ। ରାଲିରେ ଅଶ୍ଵିନୀ ଶାଣିତ ସ୍ଵରରେ ରାଜ୍ୟର ବିଜେଡି ସରକାର ଉପରେ ବର୍ଷିଥିଲେ। ଏପରିକି ମନ୍ତ୍ରୀ ଟୁକୁନି ସାହୁ ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ। କହିଥିଲେ ରାଜ୍ୟ ସରକାର ଆଜି ଜମି ଦେଲେ ତା ପର ଦିନଠୁ ପଦ୍ମପୁରରେ ରେଳ କାମ ଆରମ୍ଭ ହେବ। ଅଶ୍ଵିନୀଙ୍କ ତେର୍ଚ୍ଛା ବାଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଥିଲା। ତୋମାର ମଧ୍ୟ କୃଷକଙ୍କ ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଥିଲେ। ଆଉ ନିର୍ବାଚନକୁ ପାଞ୍ଚ ଦିନ ବାକି ଥିବା ବେଳେ ଆଜିଠୁ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ।

ଧାମନଗର ଉପନିର୍ବାଚନ ଜିତିବା ପାଇଁ ବିଜେପି ଯେମିତି ଭାବେ ପ୍ରାଣମୂର୍ଚ୍ଛା ଲଢିଥିଲା, ଠିକ୍ ସେହିଭଳି ପଦ୍ମପୁରରେ ପଦ୍ମ ଫୁଟାଇବା ପାଇଁ ଦଳ କୌଣସି ସୁଯୋଗ ହାତଛଡା କରୁ ନାହିଁ। କାରଣ ପଦ୍ମପୁରରେ ପ୍ରଦୀପ ପୁରୋହିତଙ୍କ ପରି ଟାଣୁଆ ନେତା ପ୍ରାର୍ଥୀ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ଜନାଧାର ମଧ୍ୟ ରହିଛି। ତା ଉପରେ ବିଜେଡିର ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂହ ବରିହା ପାଞ୍ଚ ଥର ନିର୍ବାଚନ ଜିତିଥିଲେ ମଧ୍ୟ ଏହି ଅଞ୍ଚଳରେ ସେମିତି କିଛି ଆଖି ଦୃଶିଆ ବିକାଶମୂଳକ କାମ ହୋଇନଥିବା କୁହାଯାଏ। ବିଶେଷ କରି କୃଷିଜନିତ ସମସ୍ୟାର ସମାଧାନ ଦିଗରେ ସରକାରୀ ଦଳର ଉଦାସୀନତାକୁ ବିଜେପି ମୂଳ ଅସ୍ତ୍ର କରିଛି। ଏବେ ନିର୍ବାଚନ ପ୍ରଚାରକୁ ଆହୁରି ଶାଣିତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇଟି ଏବଂ ଜିଏସଟି ରେଡ୍ ମଧ୍ୟରେ ଧର୍ମେନ୍ଦ୍ରଙ୍କ ପ୍ରଚାର ନିଶ୍ଚିତ ରୂପେ ବିଜେପି ପାଇଁ ଗୁରୁତ୍ଵ ବହନ କରିବ। ସେପଟେ ବିଜେଡି ବି ତୟାର।

ଧାମନଗରରେ ଯେଉଁଭଳି ଭାବେ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ପ୍ରଚାର କରି ପ୍ରାର୍ଥୀ ସୂର୍ଯ୍ୟ ବଂଶୀଙ୍କ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଠିକ୍ ସେହି ପରି ସେ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ନିର୍ବାଚନ ଜିତିବାର ମାର୍ଗ ପ୍ରଶସ୍ତ କରିବାକୁ ଚେଷ୍ଟା କରିବେ ବୋଲି ବିଜେପିର କର୍ମୀମାନଙ୍କ ବିଶ୍ଵାସ। ୨୦୧୪ ନିର୍ବାଚନରେ ଯେମିତି ଏଠାରେ ବିଜେପି ପଦ୍ମ ଫୁଟାଇବାରେ ସଫଳ ହୋଇଥିଲା, ଠିକ୍ ସେହି ପରି ଉପ ନିର୍ବାଚନରେ ବିଜେଡିକୁ ମାତ୍ ଦେବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି।

ପଦ୍ମପୁର ଉପନିର୍ବାଚନ ବେଳେ ଗୋଟିଏ ଦିନରେ ଗୋଟିଏ ପଟେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ବେଳେ ଅନ୍ୟପଟେ ଜିଏସଟି ଚଢ଼ାଉକୁ ଦେଖିଲେ ଉଭୟ ବିଜେଡି ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଓହ୍ଲାଇଥିବା ସାଧାରଣରେ ଆଲୋଚନା ହେଉଛି । ଏହା ପଦ୍ମପୁର ରାଜନୀତିର ପାଣିପାଗକୁ ଆହୁରି ଚଳଚଞ୍ଚଳ କରିଛି। ଏଥିରୁ ଆଭାସ ମିଳୁଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆରପାର ଲଢେଇ ଦେଖିବାକୁ ମିଳିବ।  ରାଜନୈତିକ ସମୀକ୍ଷକ ମଧ୍ୟ ଏହା ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଗୁଜରାଟ୍ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ବେଳେ କେନ୍ଦ୍ରୀୟ ସଂସ୍ଥାର ଚଢ଼ାଉ ଜନତା ଦେଖିଛନ୍ତି। ଆଉ ଏବେ ଏହି କ୍ରମରେ ଯୋଡ଼ି ହୋଇଛି ଓଡ଼ିଶା । ପଦ୍ମପୁର ଉପନର୍ବାଚନ ବେଳେ କେନ୍ଦ୍ରୀୟ ଆୟକର ବିଭାଗ ଏବଂ ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ଚଢ଼ାଉକୁ ଦେଖିଲେ ଲାଗୁଛି ଆଗକୁ ବିଜେଡି-ବିଜେପି କେହି କାହାକୁ ଇଂଚେ ବି ସ୍ପେଶ ଦେବାକୁ ଚାହୁଁ ନାହାନ୍ତି । ଏବେ ଦେଖିବା ବାକି ରହିଲା ରେଡ୍ ସମୟରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାରରେ ବିଜେପିକୁ କେତେ ଫାଇଦା ମିଳୁଛି। ସୂଚନାଯୋଗ୍ୟ, ପଦ୍ମପୁର ନିର୍ବାଚନର ମତଦାନକୁ ଆଉ ପାଞ୍ଚ ଦିନ ବାକି ରହିଛି। ଅର୍ଥାତ ଡିସେମ୍ବର ୫ ତାରିଖରେ ଭୋଟିଂ ହେଉଥିବା ବେଳେ ଆଠ ତାରିଖରେ ଫଳାଫଳ ଘୋଷଣା କରାଯିବ।

Get real time updates directly on you device, subscribe now.