fbpx

କ୍ରିକେଟ୍ ନୁହେଁ ରାଜନୀତି ଉପରେ ପ୍ରଶ୍ନ କଲେ ପାକିସ୍ତାନ ସାମ୍ବାଦିକ, ଏମିତି ଜବାବ ଦେଲେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଶୁକ୍ରବାର ଖେଳାଯାଇଛି । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଜିତିଥିଲେ ମଧ୍ୟ ଚାରିଆଡେ ଆଫଗାନିସ୍ତାନର ଖେଳକୁ ପ୍ରଶଂସା କରାଯାଉଛି। ହେଲେ ମ୍ୟାଚ୍ ପରେ ଏମିତି କିଛି ଘଟଣା ଘଟିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସାମ୍ବାଦିକଙ୍କ ଅଯଥା ପ୍ରଶ୍ନ ଶୁଣି ମହମ୍ମଦ ନବି ସାମ୍ବାଦିକ ସମ୍ମିଳନୀରୁ ଉଠି ଆସିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଜଣେ ସାମ୍ବାଦିକ ମହମ୍ମଦ ନବିଙ୍କୁ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ପାକିସ୍ତାନ-ଆଫଗାନିସ୍ତାନର ସଂପର୍କ ଉପରେ ପ୍ରଶ୍ନ କରିଥିଲେ । ଏପରିକି ବିଶ୍ୱ କପ ପରେ ଯେବେ ଆଫଗାନିସ୍ତାନ ସ୍ୱଦେଶ ଫେରିବ ତେବେ କଣ ଘଟିବ ବୋଲି ପାକିସ୍ତାନ ସାମ୍ବାଦିକ ଅଧିନାୟକ ନବିଙ୍କୁ ପ୍ରଶ୍ନ କରିଥିଲେ । ଏହି ଧରଣର ପ୍ରଶ୍ନ ନବିଙ୍କୁ ପସନ୍ଦ ଆସିନଥିଲା ।

 

ସେ ସାମ୍ବାଦିକଙ୍କୁ ଜବାବ ଦେଇ କହିଛନ୍ତି ଯେ, ଏହି ଅବସ୍ଥାକୁ ଛାଡି ଆପଣ କ୍ରିକେଟ୍ ଉପରେ ପ୍ରଶ୍ନ କରନ୍ତୁ । କେବଳ କ୍ରିକେଟ ଉପରେ କଥା ହେଲେ ଭଲ ହେବ । ଆମେ ଏଠାକୁ ବିଶ୍ୱ କପ୍ ପାଇଁ ଆସିଛୁ ଏବଂ ପୂରା ପ୍ରସ୍ତୁତିର ସହ ଆସିଛୁ । ଆପଣ କ୍ରିକେଟ୍ ଉପରେ ଆଲୋଚନା କରନ୍ତୁ ଏବଂ ଦେଶର ଅବସ୍ଥାକୁ ଛାଡି ଦିଅନ୍ତୁ । ଏହା ପରେ ମଧ୍ୟ ପାକିସ୍ତାନୀ ସାମ୍ବାଦିକ ନିଜର ଏହି ବିତଣ୍ଡା ପ୍ରଶ୍ନ ଛାଡିନଥିଲେ । ଫଳରେ ମହମ୍ମଦ ନବି ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲି ଯାଇଥିଲେ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ନିକଟରେ ତାଲିବାନୀ ଶାସନ ଆସିଛି । ଏହା ପରେ ଦେଶର କ୍ରିକେଟ୍ ଭବିଷ୍ୟତ ସଙ୍କଟରେ ରହିଛି । ଆଫଗାନିସ୍ତାନ ଓ ପାକିସ୍ତାନ ସଂପର୍କରେ ମଧ୍ୟ ତିକ୍ତତା ରହିଛି । ଆଉ ଏହି ସମୟରେ ହିଁ ପାକିସ୍ତାନ ସାମ୍ବାଦିକ ଏମିତି ପ୍ରଶ୍ନ କରିଥିଲେ । ଅନ୍ୟପଟେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ପାକିସ୍ତାନ ପ୍ରଶଂସକଙ୍କ ମଧ୍ୟରେ ଲଢେଇ ହୋଇଛି । ଯାହାର ଭିଡିଓ ଭାଇରାଲ ହୋଇଛି ।

Get real time updates directly on you device, subscribe now.