ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଚୁକ୍ତିକୁ କେନ୍ଦ୍ର ସରକାର ସ୍ଥଗିତ ଘୋଷଣା କରିବାପରେ ଏବେ ଚୁକ୍ତି ସମ୍ପର୍କରେ ପୁନଃବିଚାର କରିବାକୁ ପାକିସ୍ତାନ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ।
ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ଅପରେସନ ସିନ୍ଦୂରରେ ଭୟଭୀତ ହୋଇଥିବା ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିଥିଲା; ଯେଉଁଥିରେ ଭାରତ ସହମତି ପ୍ରକାଶ କରିଥିଲା । ସୂଚନା ମୁତାବକ, ଭାରତ ପାକିସ୍ତାନ ଉପରେ ଜଳ, ବ୍ୟାପାର, କୂଟନୈତିକ ଏବଂ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଛି, ଯାହା ଉପରେ କୌଣସି ଆଲୋଚନା ହୋଇନାହିଁ । ତାହା ଏବେ ବି ସେହିଭଳି ଜାରି ରହିବ ।
୨୨ ଅପ୍ରେଲ, ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆକ୍ସନ ନେଇ ସିନ୍ଧୁ ଜଳଚୁକ୍ତି, ପାକିସ୍ତାନୀ ଭିସା, ଟ୍ରେଡ ଡିପ୍ଲୋମାଟିକ ଏବଂ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲା ।
ପାକିସ୍ତାନ ଉପରେ ଲାଗି ରହିବ ଏହି ବ୍ୟାନ:
-ସିନ୍ଧୁ ଜଳଚୁକ୍ତି ନିଲମ୍ବିତ ରହିବ ।
-କୌଣସି ବ୍ୟବସାୟିକ ସଂପର୍କ ପୁନଃସ୍ଥାପିତ ହେବ ନାହିଁ ।
-କୂଟନୈତିକ ସ୍ତରରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିବ । ପାକିସ୍ତାନକୁ ପଠାଯାଇଥିବା ଦୂତାବାସ କୂଟନୀତିଜ୍ଞମାନଙ୍କୁ ପୁନର୍ବାର ଡକାଯିବ ନାହିଁ ।
-ପାକିସ୍ତାନ ଉପରେ ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଜାରି ରହିବ । କୌଣସି ମାଲବାହୀ ଜାହାଜ ଇତ୍ୟାଦି ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ।