fbpx

ଇମରାନ୍ ଖାନ୍‌ଙ୍କୁ ମୃତ୍ୟୁଦଣ୍ଡ ମିଳିବା ନେଇ ବଢୁଛି ଚର୍ଚ୍ଚା, କ’ଣ କହୁଛି ପାକିସ୍ତାନର ସେନା ଆଇନ?

ନୂଆଦିଲ୍ଲୀ: ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହାରି ମଧ୍ୟରେ ପ୍ରମୁଖ ଦାବୀଦାର ଥିବା ଇମରାନ୍ ଖାନ୍ କେବଳ ଜେଲ୍ ଯାଇନାହାନ୍ତି ବରଂ ତାଙ୍କୁ ଫାଶୀ ଦିଆଯିବ ବୋଲି ଆଲୋଚନା ହେଉଛି । ଏକଦା ପାକିସ୍ତାନ ସେନା ହିଁ ତାଙ୍କୁ ସର୍ବୋଚ୍ଚ ପଦରେ ପହଞ୍ଚାଇଥିଲା । ଏବେ ସେହି ସେନା ହିଁ ତାଙ୍କ ବିରୁଦ୍ଧରେ ଛିଡା ହୋଇଛି । ରାୱଲପିଣ୍ଡିର ଅଡିଆଲା ଜେଲ୍‌ରେ ବନ୍ଦ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉପରେ ଯଦି ସେନା ବିରୁଦ୍ଧରେ ବିଦ୍ରୋହ କରିଥିବାର ଅଭିଯୋଗ ସତ ହୋଇଯାଏ ତେବେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବା ନିଶ୍ଚିତ ବୋଲି କୁହାଯାଉଛି ।

ଗତ ବର୍ଷ ମେ’ ୯ ତାରିଖରେ ଇମରାନ୍ ଖାନ୍‌ଙ୍କ ଦଳ ପାକିସ୍ତାନ-ତେହେରିକ୍‌-ଏ-ଇନସାଫ(ପିଟିଆଇ)ର କାର୍ଯ୍ୟକର୍ତ୍ତା ଜିନ୍ନା ହାଉସ୍‌(ଲାହୋର କୋର୍ କମାଣ୍ଡର ହାଉସ୍‌), ମିଆଁଭାଲି ଏୟାରବେସ୍ ଓ ଫୈସଲାବାଦରେ ଆଇଏସଆଇ ବିଲ୍ଡିଂ ସହିତ ଏକ ଡର୍ଜନରୁ ଅଧିକ ସେନା ବେସ୍‌ରେ ଭଙ୍ଗାରୁଜା କରିଥିଲେ । ଏପରିକି ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟକାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା କି ଏହି ଆକ୍ରମଣ ଇମରାନଙ୍କ କର୍ମୀମାନେ କରିଛନ୍ତି । ତାଙ୍କୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଛି । କିନ୍ତୁ ଇମରାନ୍ କହିଛନ୍ତି ଆକ୍ରମଣ ସେ ନୁହେଁ ବରଂ ସେନା ପକ୍ଷରୁ କରାଯାଇଛି । ଏହି ସମସ୍ତ ଆକ୍ରମଣ ଲଣ୍ଡନ ଚୁକ୍ତିର ଏକ ଅଂଶ ଥିଲା । ଇମରାନଙ୍କ ଅଭିଯୋଗ କି ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣି ସେନାଙ୍କ ଗୁଡ୍ ବୁକ୍‌ରେ ଆସିସାରିଛନ୍ତି । ଏହା ମାଧ୍ୟମରେ ସେ ପୁଣି କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ସବୁ ଜିନିଷ ଯୋଜନା ମୁତାବିକ ହୋଇଛି ଓ ଏଥିରେ ତାଙ୍କୁ ଫସାଇ ଦିଆଯାଇଛି ଓ ତାଙ୍କ ଦଳ କିପରି କ୍ଷମତାରୁ ଦୂରେଇ ଯିବ ସେଥିପାଇଁ ଯୋଜନା କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ପାକିସ୍ଥାନରେ ସେନା ହିଁ ସବୁଠାରୁ ଶକ୍ତିଶାଳୀ ସଂସ୍ଥା । ଏହି କାରଣରୁ ଏଠାରେ ସେନା ସରକାର ଗଠିତ ହୋଇଆସୁଛି । ଏହି ଆର୍ମି ଆକ୍ଟରେ ଏପରି ପ୍ରାବଧାନ ରହିଛି କି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ କଠୋରରୁ କଠୋର ଦଣ୍ଡ କିମ୍ବା ଫାଶୀ ବି ମିଳିପାରେ । ଏହି ଆକ୍ଟର ଧାରା ୫୯ ଅନୁଯାୟୀ କେହି ଯଦି ଦେଶ ବିରୁଦ୍ଧରେ କୌଣସି ବି ପଦକ୍ଷେପ ନେବ କିମ୍ବା ସେନା ବା ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କିମ୍ବା ଆକ୍ରମଣ ଯୋଜନା କରିବ ତେବେ ତାକୁ ଆଜୀବନ କାରାଦଣ୍ଡ ଠାରୁ ଆରମ୍ଭ କରି ଫାଶୀ ବି ହୋଇପାରିବ ।

Get real time updates directly on you device, subscribe now.