fbpx

ତାଲିବାନ ପାଇଁ ଦୁନିଆକୁ ବ୍ଲାକମେଲିଂ କରିବା ଆରମ୍ଭ କଲା ପାକିସ୍ତାନ, ଅଲକାଏଦା ଓ ଆଇଏସର ଦେଖାଇଲା ଭୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାରକୁ ବିଶ୍ୱ ମାନ୍ୟତା ଦେବା ପାଇଁ ପାକିସ୍ତାନ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛି । ଖୋଦ୍ ତାଲିବାନୀ ନେତା ଯେତିକି ବିକଳ ହେଉନାହାନ୍ତି ତାଠୁ ଅଧିକ ଆକୁଳ ହେଉଛି ପାକିସ୍ତାନର ଇମ୍ରାନ ଖାନ ଏବଂ ଏହାର ସରକାର । ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି, ଦୁନିଆକୁ ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣାଇବା ଉଚିତ୍ ନୁହେଁ । ଏଥିରେ ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିବା ଏବଂ ଆତଙ୍କବାଦର ବିପଦ ବଢିବାର ଭୟ ରହିଥିବା ୟୁସୁଫ କହିଛନ୍ତି । ପରୋକ୍ଷରେ ପାକିସ୍ତାନ ଏହା କହିବାକୁ ଚେଷ୍ଟା କରିଛି ଯେ, ଯଦି ତାଲିବାନ ସରକାରକୁ ମାନ୍ୟତା ଦିଆନଯାଏ ତେବେ ଦୁନିଆରେ ଆତଙ୍କବାଦୀ ଆକ୍ରମଣର ବିପଦ ଅଧିକ ରହିବ । ବିଶେଷ କରି ଅଲକାଏଦା ଓ ଆଇଏସ ପରି ଆତଙ୍କବାଦୀ ସଂଗଠନଠୁ ।

ତାଲିବାନ ମଧ୍ୟ ଅଗଷ୍ଟରେ ସଂପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା । ତାଲିବାନ ପକ୍ଷରୁ ଘୋଷିତ ସରକାରରେ ଅନେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମଧ୍ୟ ସାମିଲ୍ । ଭାରତ ସହିତ ଦୁନିଆର ଅଧିକାଂଶ ଦେଶ ଆଫଗାନିସ୍ତାନକୁ ନେଇ ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣେଇଛନ୍ତି ଏବଂ ତଲିବାନକୁ ଏବେ ମାନ୍ୟତା ଦେବା ମୁଡରେ ନାହାନ୍ତି । ସମସ୍ତ ବଡ ବଡ ଦେଶ କହିଛନ୍ତି, ସେମାନେ ତାଲିବାନ ସରକାରର ମାନବାଧିକାର ଏବଂ ମହିଳାଙ୍କ ପ୍ରତି ଆଭିମୁଖ୍ୟ ଦେଖିବା ପରେ ମାନ୍ୟତା ଦେବେ ନା ନାହିଁ ନିଷ୍ପତ୍ତି ନେବେ । ପାକିସ୍ତାନରେ ନିଜର ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସେନା ତାଲିବାନର ଦୂତ, ମୁଖପାତ୍ର ଓ ଓକିଲ ପରି କାମ କରୁଛନ୍ତି ।

ୟୁସୁଫ କହିଛନ୍ତି, ଅପେକ୍ଷା କର ଏବଂ ଦେଖର ଅର୍ଥ ବରବାଦି । ସେ ଏହା ମଧ୍ୟ କହିଛନ୍ତି, ୧୯୯୦ ଦଶନ୍ଧିରେ ମଧ୍ୟ ଦୁନିଆ ଏହି ଭୁଲ୍ କରିଥିଲା । ପାଶ୍ଚାତ୍ୟ ଦେଶର ନେତା ନିଜର ଭୁଲ୍ ମାନିଥିଲେ ଏବଂ ଏହି ଭୁଲ୍ ଦୋହରାଇବେ ନାହିଁ ବୋଲି କହିଥିଲେ । ହେଲେ ଏବେ ସେମାନେ ଏଥିରେ ପଛଘୁଞ୍ଚା ଦେଉଛନ୍ତି । ୟୁସୁଫ କହିଛନ୍ତି, ଦୁନିଆର ହିତ ପାଇଁ ଏହା ଭଲ ହେବ ଯେ, ସେମାନେ ତାଲିବାନ ସହ ନିଜର ଚିନ୍ତାକୁ ନେଇ ଆଲୋଚନା କରନ୍ତୁ, ଯେଉଁଥିରେ ଆତଙ୍କବାଦ, ମାନବାଧିକାର ଓ ଭାଗିଦାରୀ ସରକାର କିମ୍ବା ଅନ୍ୟ ପ୍ରସଙ୍ଗ ସାମିଲ୍ ।

Get real time updates directly on you device, subscribe now.