fbpx

ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ

ଇସଲାମାବାଦ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପୁଣି ଥରେ ଗିରଫ କରାଯାଇଛି। ମେ ୨ରେ ହୋଇଥିବା ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି। ଏନେଇ ଏକ ପାକିସ୍ତାନୀ ଗଣମାଧ୍ୟମ ଖବର ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ତେବେ ଇମ୍ରାନ୍‌ ବିଭିନ୍ନ ମାମଲାରେ ଆଦିଆଲା ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି। ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍‌କ୍ୟୁ ଆକ୍ରମଣ ମାମଲା ସହ ମେଟ୍ରୋ ଷ୍ଟେଶନରେ ଅଗ୍ନିକାଣ୍ଡ ଏବଂ ୨୦୨୩ ମେ’ ୯ରେ ହିଂସା ସୃଷ୍ଟି କରିବା ଘଟଣାରେ ଖାନଙ୍କୁ ଡକାଇଥିଲେ। ସାଇଫର ଏବଂ ଗ୍ରାଫ୍ଟ ମାମଲାରେ ଆଦିଆଲା ଜେଲରେ ଥିବା ଖାନ ଭିଡିଓ ଲିଙ୍କ ମାଧ୍ୟମରେ କୋର୍ଟରେ କୋର୍ଟ ସମ୍ମୁଖରେ ହାଜର ହୋଇଥିଲେ।

ତେବେ ଆସନ୍ତା ଫେବୃଆରୀ ୮ ତାରିଖରେ ହେବାକୁ ଯାଉଛି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର କସରତ ଆରମ୍ଭ କରିଛନ୍ତି। ତେବେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ଲଢ଼ିବାକୁ ଖୁବ ଆଶାୟୀ ଥିଲେ। ଏଥିପାଇଁ ସେ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ। କିନ୍ତୁ ଡିସେମ୍ବର ୩୦ ତାରିଖ ଦିନ ପାକିସ୍ତାନର ନିର୍ବାଚନ ସଂସ୍ଥା ଇମ୍ରାନ ଖାନଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପଟେ ଗତକାଲି ଇମ୍ରାନ କହିଥିଲେ ଯେ, ୨୪ ଘଣ୍ଟା ମଧ୍ୟରେ ଚଳିତ ନିର୍ବାଚନ ପାଇଁ ତାଙ୍କ ପିଟିଆଇ ଦଳର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ। ମାତ୍ର ଆଜି ପୁଣି ଥରେ ତାଙ୍କୁ ଜେଲର ଚାରିକାନ୍ଥ ଭିତରକୁ ଯିବାକୁ ପଡିଛି। ତେବେ ନିର୍ବାଚନ ପୂର୍ବରୁ ତାଙ୍କୁ ଜାଣିଶୁଣି ଗିରଫ କରାଯାଇଛି ବୋଲି ଇମ୍ରାନଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

 

Get real time updates directly on you device, subscribe now.