fbpx

(Video) ଦେଶ ବିରୋଧରେ ଗଲେ ପାକିସ୍ତାନୀ ଖେଳାଳି! ଭାରତ ବିପକ୍ଷରେ ଗୋଡ଼ରେ ଧରିଲେ ଅସମ୍ଭବ କ୍ୟାଚ୍

ନୂଆଦିଲ୍ଲୀ: କ୍ରିକେଟରେ ଖରାପ ଫିଲ୍ଡିଂ ପାଇଁ ବାରମ୍ବାର ଟ୍ରୋଲ ହୋଇଛନ୍ତି ପାକିସ୍ତାନର ଅନେ ଖେଳାଳି । ଏଭଳି ଅନେକ ଘଟଣାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଖରାପ ଫିଲ୍ଡିଂକୁ ନେଇ କ୍ରିକେଟପ୍ରେମୀ ଅନେକ ପାକିସ୍ତାନୀ ଖେଳାଳିଙ୍କ ମଜାକ ମଧ୍ୟ ଉଡ଼ାଇଥାନ୍ତି । ତେବେ ବର୍ତ୍ତମାନ ପାକିସ୍ତାନର ଜଣେ ଖେଳାଳି ଚମତ୍କାର ଫିଲ୍ଡିଂ କରି କ୍ରିକେଟ ଜଗତକୁ ଚମକାଇ ଦେଇଛନ୍ତି । ଦେଶର ବଡ଼ ବଡ଼ ଖେଳାଳି ଖରାପ ଫିଲ୍ଡିଂ ଯୋଗୁଁ ଟ୍ରୋଲର ଶିକାର ହୋଇଥିବା ବେଳେ ଏହି ଯୁବ ଖେଳାଳିଙ୍କୁ ପ୍ରଶଂସା କରାଯାଉଛି ।

ତେବେ ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଏଭଳି ଏକ ଚମତ୍କାର ଫିଲ୍ଡିଂ କରିଛନ୍ତି ପାକିସ୍ତାନ ଜଣେ ଖେଳାଳି । ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନର ୱିକେଟକିପର ସାଦ ବେଗ ଏକ ଅବିଶ୍ୱସନୀୟ କ୍ୟାଚ ନେଇଛନ୍ତି । ଇନିଂସର ୩୨ତମ ଓଭର ନେଇ ଆସିଥିଲେ ସ୍ପିନର ଅରାଫତ ମିନହାସ । ଟିମ ଇଣ୍ଡିଆର ଆଦର୍ଶ ସିଂହ ବ୍ୟାଟିଂ କରୁଥିବା ବେଳେ ବୋଲର ତାଙ୍କୁ ଅଫ୍ ଷ୍ଟମ୍ପ ବାହାରେ ଏକ ଫ୍ଲାଇଟେଡ ବଲ ପକାଇଥିଲେ । ତେବେ ଏହାକୁ ସ୍ୱିପ ଖେଳିବାକୁ ଚେଷ୍ଟା କରିଥିଲେ ଆଦର୍ଶ । କିନ୍ତୁ ବଲଟି ବ୍ୟାଟରେ ଲାଗି ପଛକୁ ଚାଲିଯାଇଥିଲା । ତେବେ ୱିକେଟକିପର ସାଦ ବେଗ୍ ହାତରେ ବଲକୁ ଦରିବା ସମ୍ଭବ ନ ହେବାରୁ ଚତୁରତା ଦେଖାଇଛନ୍ତି । ଦୁଇ ଗୋଡ଼ ମଝିରେ ବଲଟିକୁ ଧରିବାରେ ସଫଳ ହୋଇଛନ୍ତି ବେଗ୍ । ତେବେ ବଲକୁ ଗୋଡ଼ରେ ଚାପି ଧରିବା ପରେ ବେଗ୍ ଏହାକୁ ହାତରେ ଉଠାଇ ଅପିଲ କରିବାରୁ ଅମ୍ପାୟାର ଆଦର୍ଶଙ୍କ ଆଉଟ ବୋଲି ଘୋଷଣା କରିଛନ୍ତି ।

ତେବେ ବେଗ୍ ଙ୍କ ଏହି କ୍ୟାଚକୁ ଦେଖି ବ୍ୟାଟର ଏବଂ ଅମ୍ପାୟାରଙ୍କ ସମେତ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କ୍ରିକେଟପ୍ରେମୀମାନେ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ପାକିସ୍ତାନର ଅନେକ ବରିଷ୍ଠ ଖେଳାଳି ଖରାପ ଫିଲ୍ଡିଂ ପାଇଁ ଟ୍ରୋଲ ହେଉଥିବା ବେଳେ ସାଦ ବେଗ୍ ଏଭଳି କ୍ୟାଚ ନେଇ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ତେବେ ଏହି ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି ପାକିସ୍ତାନ ।

Get real time updates directly on you device, subscribe now.