fbpx

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ! ସଂସଦରେ ଘୋଷଣା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୀତି କେତେ ନିଚ୍ଚ ସ୍ତରକୁ ଯାଇପାରେ ଏହାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ କେହି ବି ନେତା ସେଠାରେ କିଛି ବି କରିବାକୁ ପ୍ରସ୍ତୁତ। ଗୋଟିଏ ପଟେ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କୁ ଭେଟି ପାକ୍ ଆସମ୍ବେଲିକୁ ଭାଙ୍ଗି ଦେଇଛନ୍ତି ଏବଂ ଅନାସ୍ଥା ପ୍ରସ୍ତାବ ଜରିଆରେ ତାଙ୍କୁ ଗାଦିଚ୍ୟୁତ୍ କରିବାକୁ ଚାହୁଁଥିବା ବିରୋଧୀଙ୍କ ଉଦ୍ୟମକୁ ପଣ୍ଡ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳର ନେତା ନିଜ ମନୋକାମନା ପୂରା କରିବା ପାଇଁ ସଂସଦକୁ କବଜା କରିଛନ୍ତି। ନିଜ ଦଳର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ଶହବାଜ ସରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି।

ରବିବାର ଅନାସ୍ଥା ପ୍ରସ୍ତାବ ଖାରଜ କରିବା ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା ପାକ୍ ଆସେମ୍ବଲି ଭଙ୍ଗ କରାଯିବା ନିଷ୍ପତ୍ତିରେ ବିରୋଧୀ ଦଳ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ସଂସଦକୁ ନିଜ କବଜାକୁ ନେଇଛନ୍ତି। ପୁଣି ବାଚସ୍ପତି ପଦରେ ଅୟାଜ ସାଦିକଙ୍କୁ ବସାଇ ଗୃହ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଖାରଜ କରିଥିବା ଉପ ବାଚସ୍ପତିଙ୍କ ଆଦେଶକୁ ଅସିଦ୍ଧ ଘୋଷଣା କରାଯାଇ ଶହବାଜ ସରିଫଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଘୋଷିତ କରାଯାଇଛି।

ଦୁନିଆ ସାମ୍ନାରେ ନିଜକୁ ଲଜ୍ଜିତ କରି ସାରିଥିବା ଇମ୍ରାନ ଖାନ କେବଳ ଏହି ମାମଲାରେ ଆଗରେ ନାହାନ୍ତି। ରବିବାର ବିରୋଧୀ ଦଳ ନେତା ମଧ୍ୟ ପ୍ରମାଣିତ କରିଛନ୍ତି ଯେ, ଏହି ମାମଲାରେ ସେ ଇମ୍ରାନ ଖାନଙ୍କୁ କଡା ଟକ୍କର ଦେଇ ପାରିବେ। ଇମ୍ରାନଙ୍କ ସରକାରରେ ମନ୍ତ୍ରୀ ଥିବା ଫଓ୍ଵାଦ ଚୌଧୁରୀ କହିଛନ୍ତି, ଇମ୍ରାନ ଖାନ ସମ୍ବିଧାନର ଅନୁଚ୍ଛେଦ ୨୨୪ ଆଧାରରେ ନିଜ କର୍ତ୍ତବ୍ୟ ଜାରି ରଖିବେ। ନିର୍ବାଚନ ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବେ। ଅନ୍ୟପଟେ ପାକିସ୍ତାନ ସୈନ୍ୟ ମୁଖପାତ୍ର ମେଜର ଜେନେରାଲ ବାବର ଇଫତିଖାର କହିଛନ୍ତି, ଆଜି ନ୍ୟାସନାଲ ଆସେମ୍ବଲିରେ ଯାହା କିଛି ଘଟିଛି ସେଥିରେ ସେନାର କୌଣସି ସଂପର୍କ ନାହିଁ।

Get real time updates directly on you device, subscribe now.