ଭାରତକୁ ନିନ୍ଦା ଓ ଆମେରିକାକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଭାରତ ବିରୋଧରେ ଆଣିଲେ ବଡ଼ ଅଭିଯୋଗ…

ଟ୍ରମ୍ପଙ୍କୁ ଅଯଥା ସମର୍ଥନ କରୁଛି ପାକ୍ ,ଜାତିସଙ୍ଘର ସାଧାରଣ ସଭାରେ ଭାରତକୁ ଡରାଉଛି...

ନ୍ୟୁୟର୍କ: “ଭାରକ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛି ଆମେରିକା। ଟ୍ରମ୍ପ ଜଣେ ଶାନ୍ତି ପ୍ରିୟ ମଣିଷ । ଆଉ ଭାରତ ଯାହା କରିଛି ତାହା ନକହିବା ଭଲ” -ଏପରି କହି ଜାତିସଙ୍ଘର ସାଧାରଣ ସଭାରେ ଭାରତକୁ ନିନ୍ଦା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୁରି ପ୍ରଶଂସା କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ।

ପାକିସ୍ତାନ ସବୁବେଳେ ଭାରତକୁ ନିଚ୍ଚା ଦେଖାଇବା ପାଇଁ ପ୍ରୟାସ କରିଆସୁଛି, ଏହା କିଛି ବଡ଼ ନୂଆ କଥା ନୁହେଁ । ମାତ୍ର ଶେହବାଜ ଭାରତ ବିରୋଧରେ ଯେଉଁ ଆରୋପ ଲଗାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜାତିସଂଘ ସାଧାରଣ ସଭା (UNGA)ରେ ଭାଷଣ ଦେବା ସମୟରେ ଦାବି କରିଥିଲେ ଯେ, “ପାକିସ୍ତାନୀ ବାୟୁସେନା, ଭାରତ ସହିତ ଏକ ସାମରିକ ମୁକାବିଲାରେ ୭ଟି ଭାରତୀୟ ଲଢ଼ୁଆ ବିମାନକୁ ଖସାଇ ଦେଇଛି ଏବଂ ସେଗୁଡ଼ିକୁ ଭାରତ ଚାହିଁଲେ ମଧ୍ୟ ପୁନଃ ବ୍ୟବହାର କରିପାରିବ ନାହିଁ” ।

ପାକିସ୍ତାନୀ ପାଇଲଟଙ୍କ ପ୍ରଶଂସା: ଶାହବାଜ ସରିଫ ଭାଷଣ ଦେଇ ପାକିସ୍ତାନୀ ପାଇଲଟଙ୍କୁ ପ୍ରଶଂସା କରିଛନ୍ତି, ସେମାନଙ୍କୁ “ବାଜପକ୍ଷୀ” ସହ ତୁଳନା କରି କହିଛନ୍ତି କି ପାକିସ୍ତାନର ବାୟୁସେନା ଭାରତୀୟ ବାୟୁସେନା ଉପରେ ଭାରୀ ପଡିଥିଲେ। ଏମାନେ ଆକାଶରେ ବାଜଭଳି ଉଡ଼ି ୭ଟି ଭାରତୀୟ ବିମାନକୁ ଝାମ୍ପ ମାରି ଖସାଇ ଦେଇଥିଲେ।

କେବଳ ଏତିକି ନୁହେଁ, ଆଗରୁ ପାକ୍ ସେନା ଭାରତର କିଛି ବିମାନକୁ ଖସାଇ ଥିବା ମଧ୍ଯ ଦାବି କରିଆସୁଛି। ପାକିସ୍ତାନ ପୂର୍ବରୁ ୫ଟି ଭାରତୀୟ ବାୟୁସେନା ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଭାରତ ଏହି ଦାବିଗୁଡ଼ିକୁ ମୂଲ୍ୟହୀନ ଏବଂ ପ୍ରମାଣହୀନ ବୋଲି କହିଛି ।

ଭାରତକୁ ନିନ୍ଦା: ଶରିଫ ଅଭିଯୋଗ କରିଛନ୍ତି ଯେ, ମେ ୨୦୨୫ରେ ଭାରତ ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଅପରେସନ୍ ଭାରତ ମେ ୭ରେ ଆରମ୍ଭ କରିଥିଲା। ତେବେ ଭାରତ ଏହି ଘଟଣାକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଥିବା ସେ ଯୁକ୍ତି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତର ପ୍ରତିଶୋଧନେବା ପାଇଁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ସ୍ଥାନରେ ବିମାନ ଏବଂ କ୍ଷେପଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲା । ଏନେଇ ଭାରତ ନିଶ୍ଚିତ କରିଛି ଯେ କେବଳ ଆତଙ୍କବାଦୀ ରହୁଥିବା ସ୍ଥାନକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା ଏବଂ ସାଧାରଣ ନାଗରିକ ଓ ସାମରିକ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇ ନାହିଁ।

ପାକିସ୍ତାନର ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ ଯୋଗାଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ହୋଇଥିଲା। ମାତ୍ର ଏଥିରେ ଟ୍ରମ୍ପ କୌଣସି ମତେ ହସ୍ତକ୍ଷେପ କରିନଥିଲେ ।

ଟ୍ରମ୍ପଙ୍କୁ ପ୍ରଶଂସା: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ହେବାର ଶ୍ରେୟ ଟ୍ରମ୍ପ ନେବାକୁ ଚାହୁଁଥିବା ବେଳେ ଭାରତ ଏହାକୁ ଖଣ୍ଡନ କରିଥିଲା । ମାତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଜାତିସଂଘର ସାଧାରଣ ସଭାରେ ଏହା କହିଛନ୍ତି କି ଟ୍ରମ୍ପଙ୍କ ପ୍ରୟାସ ଭାରତ-ପାକିସ୍ତାନ ସମ୍ପର୍କରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି ।

ଦୁଇ ଦେଶ ଭିତରେ ଯୁଦ୍ଧବିରତି କେବଳ ଟ୍ରମ୍ପଙ୍କ ଦ୍ୱାରା ସମ୍ଭବ ହୋଇଛି। ଏଣୁ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିର ପୁରୁଷ ବୋଲି କହି ସମ୍ବୋଧନ କରିଛନ୍ତି ।