ବାୟୁ ପ୍ରଦୂଷଣରେ ସବୁଠୁ ଉପରେ ଲାହୋର, ଦିଲ୍ଲୀର ସ୍ଥିତି ମଧ୍ୟ ଭୟଙ୍କର

ନୂଆଦିଲ୍ଲୀ: ଭାରତର ବହୁ ଅଂଶର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ବାୟୁର ମାନ ହ୍ରାସ ପାଇଛି ।ତେବେ ବର୍ତ୍ତମାନ ସାରା ବିଶ୍ୱରେ ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ପାକିସ୍ତାନର ଲାହୋର । ଶନିବାର ଦିନ ସେଠାର ଏକ୍ୟୁଆଇ ସ୍ତର ୧୯୦୦ରେ ପହଞ୍ଚିଥିଲା । ବାୟୁର ମାନ ଭୟଙ୍କରସ୍ତରକୁ ଚାଲିଯାଇଛି । ସ୍ଥିତି ଏମିତି ହୋଇଛି କି ପ୍ରଶାସନ ସବୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।

ଲାହୋରରେ ଛାୟିରହିଛି ଧୂଆଁ । ଦୃଶ୍ୟମାନ ହେଉନି ୧୦ ମିଟର ଦୂରର ଜିନିଷ । ଶନିବାରର ଏକ୍ୟୁଆଇ ରିପୋର୍ଟ ମୁତାବକ, ଲାହୋରର ବାୟୁ ସୂଚକାଙ୍କ ୧୯୦୦ରେ ପହଞ୍ଚି ଯାଇଛି । ବିଷ ବଳୟରେ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ସ୍ଥିତିକୁ ଦେଖି ପ୍ରଶାସନ ସହରର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ନିର୍ଦ୍ଦେଶ ଦେଇଛି । ଏମିତି କି ତାର କର୍ମଚାରୀଙ୍କୁ ମଧ୍ୟ ଘରେ ବସି କାମ କରିବାକୁ କୁହାଯାଇଛି । ପଞ୍ଜାବ କ୍ଷେତ୍ରର ମୁଖ୍ୟମନ୍ତ୍ରୀ ମରିୟମ ନବାଜ ଏନେଇ ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି କି ଆଗାମୀ ଏକ ସପ୍ତାହ ପାଇଁ ପ୍ରାଥମିକ ସ୍କୁଲ ବନ୍ଦ ରହିବ ।

ଯେଉଁମାନେ ବାହାରକୁ ବାହାରୁଛନ୍ତି, ସେମାନଙ୍କୁ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ଏଥିସହ ଅଯଥା ଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନର ଏହି ସ୍ଥିତି ପାଇଁ ମାରିୟମ ଭାରତକୁ ଦାୟୀ କରିଛନ୍ତି । ମାରିୟମ କହିଛନ୍ତି, ଭାରତରୁ ଆସୁଥିବା ବିଷାକ୍ତ ବାୟୁ ବଳରେ ଲାହୋର ପ୍ରଦୂଷିତ ହୋଇଛି । ତେବେ ଏହି ପ୍ରସଙ୍ଗରେ ଭାରତ ସହ ଆଲୋଚନା ସମ୍ଭବ ନୁହେଁ । ତେବେ ବିଦେଶ ମନ୍ତ୍ରୀଙ୍କୁ ଏହା ଉପରେ ଆଲୋଚନା କରିବାକୁ ସେ କହିଛନ୍ତି ।

ଏହି ପ୍ରଦୂଷିତ ସହର ତଳକୁ ଆସୁଛି ଦିଲ୍ଲୀ, କୋଲକାତା, ଦୁବାଇ, ଢାକା, କାହିରା, ଉହାନ । ପ୍ରଦୂଷଣ ପାଇଁ ଏହି ସବୁ ସହରର ବାସିନ୍ଦାଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସବୁ ଦେଶ ସଚେତନ ହେଲେ ହିଁ ଏହି ସ୍ଥିତିରୁ ମୁକ୍ତି ମିଳିବ ବୋଲି ହୁ ପକ୍ଷରୁ କୁହାଯାଇଛି ।