ବିଜେଡି-ବିଜେପି ମେଣ୍ଟ ନେଇ ଆଲୋଚନା: ଦିଲ୍ଲୀ ଗଲେ ପାଣ୍ଡିଆନ, ବବି!

ଓଡ଼ିଶା ଭାସ୍କର: ବିଜେଡି-ବିଜେପି ମହାମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ଏହା ମଧ୍ୟରେ ମେଣ୍ଟକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର। ବିଜେପି ରାଜ୍ୟ ଶୀର୍ଷ ନେତୃତ୍ୱ ପୂର୍ବରୁ ଦିଲ୍ଲୀ ଯାଇଥିବା ବେଳେ ଏବେ ବିଜେଡି ନେତା ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି। ତେବେ ଉଭୟେ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ମେଣ୍ଟ ନେଇ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଆଜି ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଦିଲ୍ଲୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଓଡ଼ିଶା ବିଜେପିର ଶୀର୍ଷ ନେତୃତ୍ୱ ସାମିଲ ହୋଇଥିଲେ। ତେବେ ବିଜେଡି ସହ ମେଣ୍ଟ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ବୈଠକ ଶେଷରେ ରାଜ୍ୟ ନେତୃତ୍ୱଙ୍କୁ ବର୍ତ୍ତମାନ ଦିଲ୍ଲୀ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏହାପରେ ବର୍ତ୍ତମାନ ବିଜେଡି ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେଣୁ ଖୁବଶୀଘ୍ର ଏନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ତେବେ ଯଦି ସତରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ତାହେଲେ କେଉଁ ଦଳକୁ କେତେ ସିଟ୍ ମିଳିବ ସେନେଇ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେପଟେ ଠିକ୍ ଭାବେ ସିଟ୍ ବୁଝାମଣା ହେଲେ ମେଣ୍ଟ ହେବାର ସମ୍ଭାବନା ରହୁଛି।

Get real time updates directly on you device, subscribe now.