ପରୀକ୍ଷା ପେ ଚର୍ଚ୍ଚା ୨୦୨୫: ଆଜି ପିଲା ପଚାରିବେ ପ୍ରଶ୍ନ; ପ୍ରଧାନମନ୍ତ୍ରୀ ମୋଦି ଦେବେ ଉତ୍ତର

ଏହି ସବୁ ବିଷୟରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା । ସାମିଲ ହେବେ ବହୁ ଜଣାଶୁଣା ଚେହେରା ।

ନୂଆଦିଲ୍ଲୀ: ଆଜି ପ୍ରଧାନ ମନ୍ତ୍ରୀ ମୋଦି କରିବେ ପରୀକ୍ଷା ପେ ଚର୍ଚ୍ଚା (ପିପିସି) । ଚଳିତବର୍ଷ ୮ମ ଥର ଲାଗି ମୋଦି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବେ ।

ପୂର୍ବାହ୍ନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ଭ କରିବେ ମୋଦି । ଏ ନେଇ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ କାର୍ଯ୍ୟକ୍ରମର ବ୍ରଡକାଷ୍ଟ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମୋଦି ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ ।

ଚଳିତ ବର୍ଷ ଭିନ୍ନ: ସବୁବର୍ଷ ଅପେକ୍ଷା ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ରେଜିଷ୍ଟ୍ରେଶନ୍ ହୋଇଛି । ପାଖାପାଖି ୩.୩୦ କୋଟି ଛାତ୍ରଛାତ୍ରୀ ପିପିସି ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ୨୦.୭୧ ଲକ୍ଷ ଶିକ୍ଷକ ଏବଂ ୫.୫୧ ଲକ୍ଷ ଅଭିଭାବକ ଏ ନେଇ ପଞ୍ଜିକରଣ କରିଛନ୍ତି ।

ପିଲାମାନଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଉପୁଜୁଥିବା ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଇଭେଣ୍ଟରେ ମୋଦି ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବେ । ଯାହା ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଏବଂ କ୍ୟାରିୟର ସମ୍ବନ୍ଧୀୟ ହୋଇଥିବ ।

ଅତିଥି ଆସିବେ: ଚଳିତବର୍ଷର ପିପିସି ଅନ୍ୟ ବର୍ଷ ତୁଳନାରେ ରୋଚକ ହେବ । କାରଣ ଏହି କାର୍ଯ୍ୟକ୍ରମରେ କେବଳ ମୋଦି ନୁହନ୍ତି ବରଂ ବି. ଟାଉନ୍ ଅଭିନେତ୍ରୀ ଦୀପିକା ପାଦୁକୋଣ, ସ୍ପିରିଚୁଆଲ୍ ଲିଡର ସଦଗୁରୁ, ଅଭିନେତା ବିକ୍ରାନ୍ତ ମେସି, ଅଲମ୍ପିକ ଖେଳାଳି ମେରି କମ୍, ପାରାଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ଅଭନି ଲେଖରା ମଧ୍ୟ ଅତିଥି ଭାବେ ସାମିଲ ହେବେ ।

ୟୁଟ୍ୟୁବ୍, ଫେସବୁକ ଏବଂ ଏକ୍ସରେ କାର୍ଯ୍ୟକ୍ରମ ଦେଖିପାରିବେ । ଏହାଛଡ଼ା ଶିକ୍ଷା ମନ୍ତ୍ରଣାଳୟ, ପିଆଇବି ଏବଂ ନରେନ୍ଦ୍ର ମୋଦି ଅଫିସିଆଲ ପେଜରେ ମଧ୍ୟ କାର୍ଯକ୍ରମ ଦେଖିହେବ ।