ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ପାର କରି ଦିଅନ୍ତୁ। ପୁଣି ଥରେ ଖୋଲା ଚ୍ୟାଲେଞ୍ଜ କଲା ଭାରତୀୟ ଜନତା ପାର୍ଟି। ସେଲ୍ କମ୍ପାନୀ କେସରେ ସୁପ୍ରିମକୋର୍ଟଙ୍କ ତରଫରୁ ରାୟ ସଂରକ୍ଷିତ ରଖାଯିବା ସହିତ ହାଇକୋର୍ଟର ଶୁଣାଣି ଉପରେ ରୋକ୍ ଲଗାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜେଏମଏମ ନିଜ ପାଇଁ ଆଶ୍ଵସ୍ତି ଭାବୁଥିବା ବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ରାଜ୍ୟ ସରକାରଙ୍କୁ ଅଗଷ୍ଟ ପାର କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଟୁଇଟ୍ କରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉଲ୍ଲେଖ କରିବା ସହିତ ଲେଖିଛନ୍ତି, ଆମର ମୁଙ୍ଗେରିଲାଲ ନିଶିକାନ୍ତ ଦୁବେ କିଛି ଶୁଣିଲେ କି ନାହିଁ, ମାନନୀୟ ସୁପ୍ରିମକୋର୍ଟ କଣ କହୁଛନ୍ତି। ସ୍ଵପ୍ନ ଦୁନିଆରୁ ବାହାରକୁ ଆସନ୍ତୁ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଷୟରେ କଣ କୁହାଯାଇଛି ଜାଣନ୍ତୁ ଏବଂ ସିଧା ବାବୁଲାଲ ମାରାଣ୍ଡିଙ୍କ ସହିତ ହରିଦ୍ଵାର ଚାଲି ଯାଆନ୍ତୁ। ବୋଧହୁଏ କିଛି ପାପ ଧୋଇଯିବ। ଦୁବେ ଜବାବ ଦେଇ କହିଛନ୍ତି, ‘ସୋ ସୁନାର କି ଏକ ଲୋହାର କି। ମୁଖ୍ୟମନ୍ତ୍ରୀ ଜୀ ଅଗଷ୍ଟ ପାର କଲ ଲେ’।
ଏହା ପୂର୍ବରୁ ନିକଟରେ ଦୁମକା ପହଞ୍ଚିଥିବା ଦୁବେ କହିଥିଲେ, ଅଗଷ୍ଟ ୩୧ ପର୍ୟ୍ୟନ୍ତ କିଛି ଓଲଟପାଲଟ ହୋଇପାରେ। ଚଳିତ ମାସରେ ରାଜ୍ୟରେ ବହୁତ କିଛି ପରିବର୍ତ୍ତନ ଘଟିପାରେ। ସେ ଏହା ମଧ୍ୟ ଭବିଷ୍ୟତବାଣୀ କରିଥିଲେ ଯେ, ଦୁମକା ଏବଂ ବରହେଟ ଆସନରେ ଉପ ନିର୍ବାଚନ ସ୍ଥିତି ଉପୁଜିପାରେ। ଦୁବେ କହିଛନ୍ତି, ଦୁମକାରେ ଚାରି ଦଶନ୍ଧିରୁ ଗୋଟିଏ ପରିବାରର କବଜା ରହିଛି ଏବଂ ଏହା ଶେଷ ହୋଇପାରେ। ସେ କହିଛନ୍ତି ନିର୍ବାଚନ ଆୟୋଗଙ୍କଠୁ ନେଇ ହାଇକୋର୍ଟ, ଲୋକପାଳ ଏବଂ ବେଆଇନ ଖଣି, ଦୁର୍ନୀତି ସମେତ ଅନ୍ୟ ମାମଲାରେ ଆଦେଶ ଆସିବାର ଅଛି।
ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକ ସେଲ୍ କମ୍ପାନୀ ଚଲାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଖଣି ଲିଜ୍ ଆବଣ୍ଟନ କରିବା ମାମଲାରେ ଶୁଣାଣି ପୂରା କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାରେ ଝାଡଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ମାମଲାରେ ବିଚାରପତି ୟୁୟୁ ଲଳିତ, ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଏବଂ ବିଚାରପତି ସୁଧାଂଶୁ ଧୁଲିଆଙ୍କ ପୀଠ ଶୁଣାଣି କରିଛନ୍ତି। ଅଦାଲତ ଦୁଇ ଯାଚିକା ଉପରେ ଝାଡଖଣ୍ଡ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ୍ ମଧ୍ୟ ଲଗାଇଛନ୍ତି।