ବଲାଙ୍ଗୀର: ପରଲୋକରେ ବିଶିଷ୍ଟ ଗାୟକ ଅରକ୍ଷିତ ସା । ପେଶାରେ ଜଣେ ପୋଲିସ ଅଫିସର ଭାବରେ କାର୍ଯ୍ୟ କରୁଥିବା ତଥା ନିଶାରେ ଗାୟକ ଥିବା ଅରକ୍ଷିତ ସାଙ୍କ ଗତ ରବିବାର ଦିନ ଦେହାନ୍ତ ଘଟିଛି।
ପ୍ରକାଶଥାଉ ଯେ, ଯୋଗ କରୁଥିବା ସମୟର ସେ ହଠାତ୍ ଚେତା ହରାଇ ଥିଲେ । ଫଳରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ଘରୋଇ ହସ୍ପିଟାଲ ନେବା ସମୟରେ ରାସ୍ତାରେ ତାଙ୍କର ଦେହାନ୍ତ ହୋଇଥିଲା ।
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ତଣ୍ଡାମୁଣ୍ଡା ଗ୍ରାମର ଅଟନ୍ତି ପୂର୍ବତନ ଏସ୍ଆଇ ଅରକ୍ଷିତ ସା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ବୋଲି ଜଣା ପଡ଼ିଛି।
ପୋଲିସ ବିଭାଗରେ ସେ ଏସ୍ଆଇ ଭାବେ କାର୍ଯ୍ୟ କରୁଥିଲେ । ଜଣେ ନିଷ୍ଠାପର ପୋଲିସ ଅଫିସର ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ । ଏକା ଧାରରେ ସେ ଜଣେ କୀର୍ତ୍ତନ ଗାୟକ, ଭଜନ ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ । ଗାଁ ରାମାୟଣଠୁ ଆରମ୍ଭ କରି ଭାଗବତ ଟୁଙ୍ଗୀରେ ମଧ୍ୟ ତାଙ୍କର ଗୀତ ଶୁଣିବାକୁ ମିଳୁଥିଲା ।
ଶ୍ରୋତା ତାଙ୍କ ଗୀତ ତଥା କଣ୍ଠରେ ବେଶ୍ ମତୁଆଲା ମଧ୍ୟ ହେଉଥିଲେ । ଲୋକଙ୍କୁ ତାଙ୍କ ଗୀତ ସବୁବେଳେ ବାନ୍ଧି ରଖିଥିଲା । ଜଣେ ସମାଜସେବୀ, ଭଦ୍ର ନମ୍ର ତଥା ମେଳାପି ବ୍ୟକ୍ତି ବାହାରେ ସେ ବେଶ୍ ପରିଚିତ ।
କହିରଖୁ, ତାଙ୍କ ଶେଷକୃତ୍ୟ ବେଳକୁ ତାଙ୍କ ଧର୍ମପତ୍ନୀ, ପୁଅ ବୋହୂ, ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ ସହ ତାଙ୍କ ପ୍ରିୟଜନ ତଥା ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ତଣ୍ଡାମୁଣ୍ଡା ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତେ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ମନେ ପକାଉଛନ୍ତି ।