fbpx

ଲିଖିତ ପ୍ରତିଶୃତି ଦେଲେ ଧର୍ମଘଟରୁ ହଟିବୁ; ରାଜ୍ୟ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର; ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ କରିଛି ଘରୋଇ ବସ ମାଲିକ ସଂଘ । ପୂର୍ବ ଘୋଷଣା ମୁତାବକ ୨୦ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟରେ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ପାର୍ବଣ ସମୟରେ ଯାତାୟାତକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଯାତ୍ରୀ ।

ସେପଟେ ସରକାର ଲିଖିତ ପ୍ରତିଶୃତି ଦେଲେ ଧର୍ମଘଟରୁ ହଟିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି, ସରକାର ଚାହିଁଲେ ୧ ମିନିଟରେ ସମସ୍ୟାର ସମାଧାନ ହୋଇଯିବ । ମୌଖିକ ପ୍ରତିଶୃତି ବଦଳରେ ଲିଖିତ ପ୍ରତିଶୃତି ଦରକାର ବୋଲି ସେ ଦାବି କରିଛନ୍ତି । ପୂର୍ବରୁ ଆଲୋଚନା ହୋଇଥିଲେ ବି ସତ୍ତ୍ୱେ ସରକାର କଥା ରଖିଲେନି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । ଅନ୍ୟପଟେ ଧର୍ମଘଟ ହେଉଥିବା ସତ୍ତ୍ୱେ ବି ଆଜି କିଛି ସ୍ଥାନରେ କାଁ ଭାଁ ବସ୍ ଚାଲୁଥିବା ଦେଖିବାକୁ ମିଳିଛି । ଘରୋଇ ବସ୍ ସଂଘର ଧର୍ମଘଟ ନିଷ୍ପତି ଏକପାଖିଆ ବୋଲି ସରକାର କହିଛନ୍ତି । ସେହିପରି ଧର୍ମଘଟ ପାଇଁ ଏହା ଉଚିତ ସମୟ ନୁହେଁ ବୋଲି ଯାତ୍ରୀମାନେ ମତ ପ୍ରକାଶ କରିଛନ୍ତି । ଯଦି ଧର୍ମଘଟ କରିବାରେ ଥିଲା ତେବେ ବହୁତ ଆଗରୁ ସଙ୍ଘ ସୂଚନା ଦେବାର ଆବଶ୍ୟକ ଥିଲା, ମାତ୍ର ଦିନକ ଆଗରୁ ସୂଚନା ଦେବା ଠିକ୍ ହୋଇନାହିଁ ବୋଲି ଯାତ୍ରୀ କହିଛନ୍ତି ।

ସୂଚନା ଥାଉକି, ଗତକାଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘକୁ ଧର୍ମଘଟ ନ କରିବାକୁ ଅନୁରୋଧ କରିଥିଲେ । ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂଜା ପାର୍ବଣ ସମୟରେ ଯାତ୍ରୀଙ୍କ ଅସୁବିଧା ନ ହେଉ, ବସମାଲିକ ସଂଘ ଏକ ତରଫା ନିଷ୍ପତ୍ତି ନ ନିଅନ୍ତୁ ବୋଲି ସଂଘକୁ ଅନୁରୋଧର ସହ କହିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଅଛି । ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ମୋର ଆଶା ବୋଲି ପରିବହନ ମନ୍ତ୍ରୀ କହିଥିଲେ। ମାତ୍ର ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

 

Get real time updates directly on you device, subscribe now.